ନର୍ଲା: ଡକାୟତି ଘଟଣାର ପର୍ଦ୍ଦାଫାଶ, ୭ ଅଭିଯୁକ୍ତ କୋର୍ଟ ଚାଲାଣ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ଚିପୁଲ ଯୋର ନିକଟରେ ଘଟିଥିବା ବହୁଚର୍ଚ୍ଚିତ ୧୮ ଲକ୍ଷ ଟଙ୍କା ଡକାୟତି ମାମଲାରେ ନର୍ଲା ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୩.୮୫ ଲକ୍ଷ ଟଙ୍କା ଏବଂ ବିପୁଳ ପରିମାଣର ସାମଗ୍ରୀ ଜବତ କରିଛି। ସୂଚନା ଅନୁସାରେ, ଗତ ଅଗଷ୍ଟ ୧୨ ତାରିଖ ସନ୍ଧ୍ୟାରେ ଭବାନୀପାଟଣାର ଉପେନ୍ଦ୍ର ରାଉତ ରୁପ୍ରା ରୋଡ଼ରୁ ବ୍ୟବସାୟିକ ଟଙ୍କା ଆଦାୟ କରି ବୁଲେଟ୍ (ଓଡି୦୭ଏସି୪୦୬୧) ଯୋଗେ ଫେରୁଥିଲେ। ଏହି ସମୟରେ ଚିପୁଲ ଯୋର ନିକଟରେ ୧୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ଚାରିଚକିଆ ଯାନରେ ଆସି ତାଙ୍କୁ ଲାଠିମାଡ଼ କରିବା ସହ ପାଖାପାଖି ୧୮ ରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇ ଚାଲିଯାଇଥିଲେ। ଏ ନେଇ ନର୍ଲା ଥାନାରେ କେସ୍ ନଂ ୧୬୭/୨୦୨୬ ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା। ସିସି କ୍ୟାମେରା ଫୁଟେଜ୍ କୁ ଆଧାର କରି ପୋଲିସ୍ ଗତ ୧/୯/୨୬ ରିଖ ମଙ୍ଗଳବାର ଦିନ ବିଭିନ୍ନ ଅଞ୍ଚଳରୁ ସାତ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥଲା। ଗିରଫ ଅଭିଯୁକ୍ତମାନେ ହେଲେ ବାଲବସପୁରର ବିକାଶ ଚନ୍ଦ୍ର ସାହୁ (୨୮), ସିକେରକୁପାର ସୁଶାନ୍ତ ଗୌଡ଼ ଓରଫ ସୁଶାନ୍ତ ଚନ୍ଦନ (୩୫), ସିକେରକୁପାର ପ୍ରଦୀପ କୁମାର ନାଏକ (୩୦), କାଉଗୁଡାର ପ୍ରଶାନ୍ତ କୁମାର ଜାଲ ଓରଫ ନିଲୁ (୨୮), ଲାଞ୍ଜିଗଡ଼ ରୋଡ଼ର ଦେବାଶିଷ ଗୌଡ଼ (୨୧), ବାଲବସପୁରର ଅଜିତ କୁମାର ସାହୁ(୩୮) ଏବଂ ମେଦିନୀପୁର (ଭବାନୀପାଟଣା)ର ଆର୍ଯ୍ୟନ ନାଏକ (୨୫)। ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୩ ଲକ୍ଷ ୮୫ ହଜାର ଟଙ୍କା, ୭.୬୯୦ ଗ୍ରାମ ସୁନା, ୯ଟି ମୋବାଇଲ୍, ଗୋଟିଏ ନୀଳ ରଙ୍ଗର ହଣ୍ଡାଇ ଆଇ-୧୦ କାର୍, ଗୋଟିଏ ଧଳା ରଙ୍ଗର ମହିନ୍ଦ୍ରା ଜାଇଲୋ, ଗୋଟିଏ ହିରୋ ସ୍ପ୍ଲେଣ୍ଡର ବାଇକ୍ ଏବଂ ଅନ୍ୟ ଏକ ବାଇକ୍ ଜବତ କରାଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ନର୍ଲା ଥାନା ଅଧିକାରୀ କୈବଲ୍ୟ ସେଠ୍। ଘଟଣାର ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ରୁପ୍ରାରୋଡର ଅଳଙ୍କାର ଦୋକାନ, ତୁଳାପଡାର ସତ୍ୟବ୍ରତ ଦାସଙ୍କ ଘର ଲୁଟ କରିଥିବା, ନର୍ଲା ଥାନା ସମ୍ମୁଖସ୍ଥ ଜିନମାତା କପଡା ଦୋକାନ, ଓ ରୁପ୍ରାରୋଡର ଦୁଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଘଟଣାର ଡକାୟତମାନେ କେବେ ବନ୍ଧାହେବେ ବୋଲି ନର୍ଲା ଜନସାଧାରଣ ଅପେକ୍ଷାରେ ଚାହିଁ ବସିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.