ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିଥିବା ରାସ୍ତାର ମରାମତି ପାଇଁ ଆଗେଇ ଆସିଛନ୍ତି ଦଣ୍ଡପାଟ ଯୁବ ସେବା ସଂଗଠନର ସଦସ୍ୟମାନେ। ସାଧାରଣ ଲୋକଙ୍କ ଯାତାୟାତ ସମସ୍ୟାକୁ ଅନୁଭବ କରି ନିଜସ୍ୱ ଉଦ୍ୟମରେ ରାସ୍ତା ମରାମତି କରି ସେମାନେ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସାହୁପଡ଼ା ଛକରୁ ବିଜୁ ଏକ୍ସପ୍ରେସ୍ ୱେ ଛକକୁ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ରହିଥିଲା। ରାସ୍ତାରେ ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହେବା ସହ ବର୍ଷା ସମୟରେ ସେଥିରେ ପାଣି ଜମି ରହୁଥିଲା। ଫଳରେ ଦୈନନ୍ଦିନ ଯାତାୟାତ କରୁଥିବା ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ। ରାସ୍ତାର ଏହି ସମସ୍ୟା ନେଇ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଆସୁଥିଲା। ବର୍ଷ ପରେ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା ମରାମତି ନେଇ ପଞ୍ଚାୟତ କିମ୍ବା ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ବଢ଼ିଥିଲା। ଏଭଳି ସ୍ଥିତିରେ ଲୋକଙ୍କ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଦଣ୍ଡପାଟ ଯୁବ ସେବା ସଂଗଠନର ସଦସ୍ୟମାନେ ନିଜସ୍ୱ ପ୍ରୟାସରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ଖାଲଖମାରେ ମାଟି ଓ ଆବଶ୍ୟକ ସାମଗ୍ରୀ ପକାଇ ରାସ୍ତାକୁ ଯାତାୟାତ ଉପଯୋଗୀ କରିବାକୁ ପ୍ରୟାସ କରାଯାଇଛି। ସଂଗଠନର ସଭାପତି କ୍ଷୀରସିନ୍ଧୁ ବାଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଦସ୍ୟ ଭିକାରୀ ଚରଣ ଗୋପାଳ, ଭୁଜବଳ ନାଏକ, ଶୁଶିଲ ନାଗ, ରୁପେଶ ନାଏକ, ଭବାନୀ ବାରିକ, ଲଲିତ ବାଣୁଆ ଓ ହେମାଳ ବିଶି ପ୍ରମୁଖ ରାସ୍ତା ମରାମତି କାର୍ଯ୍ୟରେ ସକ୍ରିୟ ଭାବେ ସହଯୋଗ କରିଥିଲେ।





