ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲାର ପ୍ରସିଦ୍ଧ ଜେକେପୁର ଦୁର୍ଗାପୂଜା ଉତ୍ସବ ପାଇଁ ଆଜି ଅପରାହ୍ଣରେ ବୈଦିକ ରୀତିନୀତି ଓ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପବିତ୍ର ଭୂମି ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ବେଦମନ୍ତ୍ର ଉଚ୍ଚାରଣ ଓ ପୂଜାର୍ଚ୍ଚନା ମଧ୍ୟରେ ଭୂମି ପୂଜନ କରାଯାଇଥିବା ବେଳେ ଏହା ସହିତ ଚଳିତ ବର୍ଷର ଦୁର୍ଗାପୂଜା ପ୍ରସ୍ତୁତି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ବିନୟ ଦ୍ଵିବେଦୀ ପୌରହିତ୍ୟ କରିଥିଲେ । ମାଁ ଦୁର୍ଗାଙ୍କ ଆଶୀର୍ବାଦ କାମନା କରାଯିବା ସହିତ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ପାଇଁ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଜେକେ ପେପର ମିଲ୍ସର ଉପସଭାପତି (ବାଣିଜ୍ୟ) ବିଶ୍ଵଜିତ ଦ୍ଵିବେଦୀ, ଜେନେରାଲ ମ୍ୟାନେଜର (ଏଚ୍ଆର୍ ଓ ଆଇଆର୍) ସନ୍ଦୀପ ପାଣ୍ଡେ, ଚାନ୍ଦିଲି ଥାନାର ଆଇ ଆଇ ସି ଉତ୍ତମ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ଜେକେ ପେପର ମିଲ୍ସ ସହ ସଂପୃକ୍ତ ତିନୋଟି ୟୁନିଅନର ସଭାପତି, ସମ୍ପାଦକ ଓ ସଦସ୍ୟମାନେ, ଲୋକସମ୍ପର୍କ ଅଧିକାରୀ ସ୍ମୃତିରେଖା କରଙ୍କ ସମେତ ପେପର ମିଲ୍ସର ବହୁ ବରିଷ୍ଠ ଅଧିକାରୀ,ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ । ଜେକେପୁର ଦୁର୍ଗାପୂଜା ଦୀର୍ଘବର୍ଷ ଧରି ଅଞ୍ଚଳର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ ଭାବେ ପରିଚିତ । ପ୍ରତିବର୍ଷ ଏହି ପୂଜା ଅବସରରେ ଜେକେପୁର ସମେତ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଦୁର୍ଗା ପୂଜାକୁ କେନ୍ଦ୍ର କରି ଧାର୍ମିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥାଏ । ଭୂମି ପୂଜନ ସମ୍ପନ୍ନ ହେବା ପରେ ଆୟୋଜକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଚଳିତ ବର୍ଷର ଦୁର୍ଗା ପୂଜାକୁ ନେଇ ଉତ୍ସାହ ବୃଦ୍ଧି ପାଇଛି । ଆଗାମୀ ଦିନରେ ପୂଜା ମଣ୍ଡପ ସାଜସଜ୍ଜା, ଆଲୋକସଜ୍ଜା ଓ ଅନ୍ୟାନ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଜୋରଦାର ହେବ ବୋଲି ଆଶା କରାଯାଉଛି । ଭକ୍ତି, ଶ୍ରଦ୍ଧା ଓ ଭାଇଚାରାର ପରିବେଶରେ ଚଳିତ ବର୍ଷର ଦୁର୍ଗାପୂଜା ମହୋତ୍ସବ ସଫଳତାର ସହ ସମ୍ପନ୍ନ ହେବ ବୋଲି ଆୟୋଜକ ମାନେ କହିଥିବା ବେଳେ ଅଞ୍ଚଳ ବାସି ମଧ୍ୟ ଆଶାବାଦୀ ଅଛନ୍ତି ।





