ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଅନ୍ତର୍ଗତ ସର୍ଗୀଗୁଡ଼ା ଗ୍ରାମର ରାମେଶ୍ୱର ମହାଦେବ ଶୈବପୀଠରୁ ଶୁକ୍ରବାର ରାତିରେ ବ୍ୟାପକ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୃବୃତ୍ତମାନେ ମନ୍ଦିରର ଭଣ୍ଡାର ଗୃହ ଓ ରୋଷେଇ ଘରର ତାଲା ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି। ମନ୍ଦିର ପୂଜକ ଲଲିତ ମିଶ୍ରଙ୍କ ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ପିତଳ ବାସନକୁସନ, ଭୋଗ ରନ୍ଧା ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ, ମାଇକ୍ ସେଟ୍ ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଚୋରି କରି ନେଇଛନ୍ତି। ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି। ଏ ନେଇ ଶନିବାର ମନ୍ଦିର ପରିଚାଳନା କମିଟି ସଭାପତି ଭକ୍ତରାମ ସିଂହ ରାଜପୁତ, ସମ୍ପାଦକ ଶରତ ଚନ୍ଦ୍ର ନାଏକ ଏବଂ ଗ୍ରାମବାସୀ କୋକସରା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ପାଇବା ପରେ କୋକସରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ସାହାଯ୍ୟରେ ତଦନ୍ତ ଜାରି ରଖିଛି। ପବିତ୍ର ଶୈବପୀଠରୁ ଏଭଳି ଚୋରି ଘଟଣାକୁ ନେଇ ସମଗ୍ର ଗ୍ରାମ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଞ୍ଚଲ୍ୟ ସହ ଶୋକର ଛାୟା ଖେଳିଯାଇଛି। ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।





