ଘାଟିମୁଣ୍ଡିଆଣୀଙ୍କ ଡ଼ଙ୍ଗର ଯାତ୍ରାରେ ପ୍ରାଚୀନ ଧର୍ମଧାରାର ଝଲକ: ସୁବୃଷ୍ଟି ଓ ଉତ୍ତମ କୃଷି ପାଇଁ ଦେବୀଙ୍କୁ ଗୁହାରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାଗ୍-ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା କଳାହାଣ୍ଡିର ଧର୍ମାଚାର ଅତି ପ୍ରାଚୀନ। ପ୍ରକୃତି ଉପାସନା ଥିଲା ଏହି ଧର୍ମାଧାରର ଶ୍ରେଷ୍ଠ ଆଧାର। ସମୟକ୍ରମେ ପ୍ରକୃତି ଉପାସକମାନଙ୍କ ଧର୍ମାଚାରରେ ଶୈବ, ଶାକ୍ତ ଓ ବୈଷ୍ଣବ ଧର୍ମର ଅପୂର୍ବ ମିଳନ ଘଟିଛି। ତେବେ ଶାକ୍ତ ତନ୍ତ୍ର ଧାରା ଏଠାରେ ବିଶେଷ ପ୍ରଭାବ ପକାଇ ଥିଲା। ଏହି ଧାରାର ଏକ ବୃହତ ସ୍ରୋତ ‘ଅଭିଚାର ତନ୍ତ୍ର’ ଆଜି ମଧ୍ଯ କଳାହାଣ୍ଡି ମାଟିରେ ବଞ୍ଚି ରହିଛି। ଅଭିଚାର ତନ୍ତ୍ରଧାରାର ଏକ ବଳିଷ୍ଠା ଦେବୀ ହେଉଛନ୍ତି ମାଁ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ। ପ୍ରତ୍ୟକ୍ଷ ଦେବୀ ଭାବେ ସେ ଅଞ୍ଚଳର ଜନମାନସରେ ପୂଜିତ। ଦେବୀ ମନୋସ୍କାମନା ପୂରଣ କରୁଥିବାରୁ ତାଙ୍କ ପାଖକୁ ଦୁଃଖ ଜଣାଇବାକୁ ଛୁଟି ଆସିଥାନ୍ତି ଭକ୍ତ। ଏଭଳି ଏକ ଆଦିବାସୀ ପରମ୍ପରାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ସିମାନ୍ତ ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା ଅଠରନଳା ଘାଟି ଠାରେ ପୂଜା ପାଉଛନ୍ତି ଦେବୀ। ଡ଼ଙ୍ଗର ଯାତ୍ରା ହେଉଛି ମାଁ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ ଦେବୀଙ୍କ ପ୍ରସିଦ୍ଧ ପର୍ବ। ପ୍ରତିବର୍ଷ ଶ୍ରାବଣ ପୂର୍ଣିମାର ପରବର୍ତ୍ତୀ ମଙ୍ଗଳବାର ଦିନ ଏହି ଯାତ୍ରା ପାଳିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ କୌଣସି କାରଣ ବଶତଃ ଏହି ବର୍ଷ ଦ୍ଵିତୀୟ ମଙ୍ଗଳବାର ଏହି ଯାତ୍ରା ପାଳିତ ହୋଇଛି। ବିଶ୍ଵାସ ରହିଛି ଏହି ଯାତ୍ରା ପାଳନ କଲେ ଭଲ ବର୍ଷା ହେବା ସହ ଭଲ ଚାଷବାସ ହୋଇଥାଏ। ଏମିତିକି ଦେବୀଙ୍କ ରାସ୍ତାଦେଇ ଗମନା ଗମନ କରୁଥିବା ପଞ୍ଚୁକମାନଙ୍କୁ ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ ବୋଲି ବିଶ୍ଵାସ ରହିଛି। ଗ୍ରାମବାସୀ ମାନେ ମିଳିତଭାବେ କାଳିସୀ ଓ ପୁଝାରୀଙ୍କ ଗହଣରେ ଗୋତୋମୁଣ୍ଡା ଗ୍ରାମରୁ ପ୍ରାୟ ୩କିମି ରାସ୍ତା ଚାଲିଚାଲି ଲାଠି ଯାତ୍ରାରେ ବାହାରିଥାନ୍ତି। ଦେବୀଙ୍କ ଆସ୍ଥାନରେ ପହଞ୍ଚିବା ପରେ ପାରମ୍ପାରିକ ବିଷ୍ଣୁ ବିଧାନ ଅନୁକ୍ରମେ ପୂଜାର୍ଚ୍ଚନା କରାଯାଇଥାଏ। ମା’ ଙ୍କ ନିକଟରେ ଶୁକ୍ଳଭୋଗ ସହ ପାରା, କୁକୁଡା ଓ ବୋଦା ବଳି ଦେଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ କରିଥାନ୍ତି। ଏବର୍ଷ ମଧ୍ୟ ଭକ୍ତମାନଙ୍କ ଗହଣରେ ବିଜେ କରିଛନ୍ତି ଦେବୀ ଘାଟି ମୁଣ୍ଡିଆଣୀ ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଞ୍ଜିତ ହୋଇଛି ଦେବୀଙ୍କ ପାଠ। ସୁବୃଷ୍ଟି ଓ ଉତ୍ତମ କୃଷି ପାଇଁ ଦେବୀଙ୍କୁ ଗୁହାରୀ କରିଛନ୍ତି ଭକ୍ତ। ଏହି ଡ଼ଙ୍ଗର ଯାତ୍ରାରେ କଳାହାଣ୍ଡି ସମେତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟ ବସ୍ତର ଅଞ୍ଚଳରୁ ଶହଶ୍ରାଧିକ ଶ୍ରଦ୍ଧାଳୁ ଆସି ଯୋଗ ଦେଇଥିଲେ। ମାଁ ସର୍ବମଙ୍ଗଳାଙ୍କ ପୂଝାରୀ ମନୋହର ପୁଝାରୀ ଦେବୀଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ସଭାପତି ହେମନ୍ତ ମାଝୀଙ୍କ ତତ୍ତ୍ଵାବଧାନରେ ଗୋତୋମୁଣ୍ଡା ଗ୍ରାମର ପାର୍ଥବ ମାଝୀ, ହିମାଞ୍ଚଳ ପୁଝାରୀ, ବଳିଆର ସିଂ ମୋରଇ, ପୂର୍ଣ୍ଣଚନ୍ଦ୍ର ନାଏକ, ବଳରାମ ମାଝୀ, ନିରଞ୍ଜନ ବାଗବଳରାମ ମାଝୀ, ମୁକୁନ୍ଦ ନାଗେଶ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.