ନୂଆପଡ଼ାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ 

ଓଡ଼ିଆ ବାର୍ତ୍ତା /ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପଦଯାତ୍ରାରେ ଉପସ୍ଥିତ ଥିଲେ। ପରେ ସ୍ଥାନୀୟ ପିଏମ୍ ଶ୍ରୀ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସାକ୍ଷରତା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମ ଲାଲ ନାଏକ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମୁଣ୍ଡ ଓ ଅମିଲାଲ ଶବର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ବକ୍ତାମାନେ ନୂଆପଡ଼ା ଜିଲ୍ଲାକୁ ଶତ ପ୍ରତିଶତ ସାକ୍ଷର ଜିଲ୍ଲା ଭାବେ ଗଢ଼ିତୋଳିବା ପାଇଁ ସମସ୍ତଙ୍କର ସକ୍ରିୟ ଓ ସାମୂହିକ ସହଯୋଗ ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ସାକ୍ଷରତା କେବଳ ଅକ୍ଷରଜ୍ଞାନ ମଧ୍ୟରେ ସୀମିତ ନୁହେଁ; ଏହା ଜନସାଧାରଣଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ସଚେତନ କରିବାର ଏକ ପ୍ରମୁଖ ମାଧ୍ୟମ ବୋଲି ସେମାନେ ଉଲ୍ଲେଖ କରିଥିଲେ। ‘ଉଲ୍ଲାସ’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ସନ୍ଦେଶ ଉପରେ ଶିକ୍ଷକ ଜୟଦେବ ବେହେରା ଓ ସାଥୀମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା। ସେହିପରି ସାଲେଭଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାକ୍ଷରତାର ଗୁରୁତ୍ୱ ଓ ସଚେତନତା ବାର୍ତ୍ତା ନେଇ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶନ କରିଥିଲେ।ଶିକ୍ଷକ ଜିତେନ୍ଦ୍ର ଖମାରୀ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିବାବେଳେ ଅମିଲାଲ ଶବର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ରୂପାୟଣରେ ଜିଲ୍ଲାର ସମସ୍ତ ସାଧନକର୍ମୀ, ସଂଯୋଜକ ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.