ଲାଞ୍ଜିଗଡ଼ରେ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ-୨୦୨୬ ସୋମବାର ଦିନ ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି। ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷୀକେଶ ନାଏକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ପାତ୍ର, ବିଶ୍ଵନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମଲ୍ଲିକ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରୁ ବିଶ୍ୱନାଥପୁର ସହର ପରିକ୍ରମା କରି ଏକ ବିଶାଳ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀମାନେ ସାକ୍ଷରତା ସମ୍ବନ୍ଧୀୟ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ। ଏହା ପରେ ବିଦ୍ୟାଳୟ ପରିସରରେ ମୁଖ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସ୍ଥିତ ଅତିଥି ମାନେ ସାକ୍ଷରତା କେବଳ ପଢ଼ିବା ଲେଖିବା ନୁହେଁ, ଏହା ମଣିଷକୁ ନିଜ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରି ଆତ୍ମନିର୍ଭରଶୀଳ କରିଥାଏ। ସାକ୍ଷରତା ଅଭିଯାନକୁ ଜନ ଆନ୍ଦୋଳନର ରୂପ ଦେବା ପାଇଁ ଆହ୍ୱାନ ଦିଆଯାଇଥିଲା ବୋଲି କହିଥିଲେ।

ଏହି ଅବସରରେ ବ୍ଲକର ୧୩ଟି ଆଞ୍ଚଳିକ ସାଧନ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଚନା, ବକ୍ତୃତା, ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ଗୋବର୍ଦ୍ଧନପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କୁମାର ଗୌରବ ପରିଡ଼ା ପରିଚାଳନା କରିଥିବା ବେଳେ ଚମ୍ପାଦେଇପୁର କ୍ଲଷ୍ଟର ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁ, ଭଟାଙ୍ଗପଦର କ୍ଲଷ୍ଟର ସଂଯୋଜକ ମନୋଜ କୁମାର ସାହୁ, କ୍ଲଷ୍ଟର ସଂଯୋଜକ ତ୍ରିନାଥ ଶ୍ୟାମ କୁମାର, ସଞ୍ଜୀବ ସାହୁ, ଦୁଃଖିଶ୍ୟାମ ବାରିକ, ଘାସି ମାଝୀ, ପ୍ରକାଶ ପ୍ରଧାନ ଓ ସମସ୍ତ ସିଆରସିସି ମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.