ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ସଫଳତା : ଶପଥ ଗ୍ରହଣ ପରେ ବିଜେଡି ଜିଲ୍ଲା ସଭାପତିଙ୍କୁ ସାକ୍ଷାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସରକାରୀ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ଯାଜ୍ଞସିନୀ ବିଶ୍ୱାଳ ଓ ସୃତି ରଣା ନିର୍ବାଚିତ ହୋଇ ଅକ୍ଟୋବର ୧୬ ତାରିଖରେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ସ୍ନାତକ ପ୍ରଥମ ସେମିଷ୍ଟରର ଛାତ୍ରୀ ଯାଜ୍ଞସିନୀ ବିଶ୍ୱାଳ ଉପସଭାନେତ୍ରୀ ଏବଂ ସ୍ନାତକ ପଞ୍ଚମ ସେମିଷ୍ଟରର ଛାତ୍ରୀ ସୃତି ରଣା ସହକାରୀ ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇଛନ୍ତି।ମହାବିଦ୍ୟାଳୟରେ ସଭାପତି ଓ ସାଧାରଣ ସମ୍ପାଦିକା ପଦ ଖାଲି ରହିଥିବାରୁ ଉପସଭାନେତ୍ରୀ ଯାଜ୍ଞସିନୀ ବିଶ୍ୱାଳ ସଭାନେତ୍ରୀଙ୍କ ଦାୟିତ୍ୱ ଏବଂ ସହକାରୀ ସାଧାରଣ ସମ୍ପାଦିକା ସୃତି ରଣା ସାଧାରଣ ସମ୍ପାଦିକାଙ୍କ ଦାୟିତ୍ୱ ତୁଲାଇବେ ବୋଲି ସୂଚନା ମିଳିଛି। ଫଳରେ ଛାତ୍ର ସଂସଦର କାର୍ଯ୍ୟକଳାପ ଓ ଛାତ୍ରୀମାନଙ୍କ ସମସ୍ୟା ଉପସ୍ଥାପନ କ୍ଷେତ୍ରରେ ଉଭୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ଶପଥ ଗ୍ରହଣ ପରେ ଉଭୟ ନବନିର୍ବାଚିତ ଛାତ୍ରୀ ବିଜୁ ଜନତା ଦଳର କଳାହାଣ୍ଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ସାକ୍ଷାତକାର ସମୟରେ ମହାବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳକୁ ସୁଦୃଢ଼ କରିବା ସହ ଏକ ସଂଗଠିତ, ଶୃଙ୍ଖଳିତ ଓ ଛାତ୍ରୀମାନଙ୍କ ସ୍ୱାର୍ଥ ପାଇଁ ସମର୍ପିତ ଛାତ୍ର ସଂଗଠନ ଗଢ଼ି ତୋଳିବା ନେଇ ଆଲୋଚନା ହୋଇଥିଲା। ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ଚିହ୍ନଟ କରିବା, ଛାତ୍ରୀମାନଙ୍କ ନ୍ୟାଯ୍ୟ ଅଧିକାରର ସୁରକ୍ଷା, ଶିକ୍ଷାଗତ ଓ ମୌଳିକ ସୁବିଧା ସମ୍ପର୍କିତ ଦାବିଗୁଡ଼ିକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବା ଏବଂ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ଛାତ୍ରୀମାନଙ୍କ ସକ୍ରିୟ ଅଂଶଗ୍ରହଣ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଛାତ୍ର ରାଜନୀତି କେବଳ ପଦପଦବୀ ହାସଲରେ ସୀମିତ ନ ରହି ଛାତ୍ରୀମାନଙ୍କ ସମସ୍ୟାର ସମାଧାନ, ନେତୃତ୍ୱର ବିକାଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ଏକ ଦାୟିତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଏହି ଆଲୋଚନାରେ ମତ ପ୍ରକାଶ ପାଇଥିଲା। ମହାବିଦ୍ୟାଳୟରେ ଏକ ସକ୍ରିୟ ଓ ସୁସଂଗଠିତ ଛାତ୍ର ସଂଗଠନ ଗଢ଼ି ତୋଳିବା ସହ ଛାତ୍ରୀମାନଙ୍କ ଆଶା, ଆକାଂକ୍ଷା ଓ ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉପରେ ଉଭୟ ନବନିର୍ବାଚିତ ପ୍ରତିନିଧି ଗୁରୁତ୍ୱ ଦେଇଛନ୍ତି। ଏହି ପଦକ୍ଷେପ ମହାବିଦ୍ୟାଳୟରେ ଛାତ୍ର ସଂସଦର କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ସହ ଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ, ଏକତା ଓ ସାମାଜିକ ଦାୟିତ୍ୱବୋଧ ବୃଦ୍ଧିରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.