ଯୁବ ସମାଜ ପାଇଁ ଡ. କଲାମ ଚିର ପ୍ରେରଣାର ଉତ୍ସ: ଓୟୁଜେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ଅସାଧାରଣ ପ୍ରତିଭା ଓ କର୍ମନିଷ୍ଠା ବଳରେ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ଆଜି ମଧ୍ୟ ଯୁବ ସମାଜ ପାଇଁ ଚିରସ୍ମରଣୀୟ ଓ ପ୍ରେରଣାର ଉତ୍ସ ବୋଲି ମତପ୍ରକାଶ ପାଇଛି। ଡ. କଲାମଙ୍କ ଜୟନ୍ତୀ ଅବସରରେ ଶୁକ୍ରବାର ବାଲେଶ୍ୱର ଷ୍ଟେସନ ଛକଠାରେ ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ପକ୍ଷରୁ ଆୟୋଜିତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ତାଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରିଥିଲେ। ବକ୍ତାମାନେ କହିଥିଲେ ଯେ, ଭାରତର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ଡ. କଲାମଙ୍କ ଅବଦାନ ଅତୁଳନୀୟ। ବାଲେଶ୍ୱର ତାଙ୍କ ବୈଜ୍ଞାନିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ କର୍ମକ୍ଷେତ୍ର ଥିଲା। ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା ଓ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ ଦିଗରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଦୃଢ଼ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ, ନିଷ୍ଠାପର ସାଧନା, ଶୃଙ୍ଖଳା, ସଂସ୍କାର ଓ ଉଚ୍ଚ ମୂଲ୍ୟବୋଧ ମାଧ୍ୟମରେ ଯୁବପିଢ଼ି ନିଜ ଲକ୍ଷ୍ୟ ହାସଲ କରିବା ସହ ଦେଶର ବିକାଶରେ ଯୋଗଦାନ କରିପାରିବେ ବୋଲି ଡ. କଲାମଙ୍କ ଜୀବନ ଆମକୁ ଶିକ୍ଷା ଦିଏ। ଯୁବ ସମାଜ ମଧ୍ୟରେ ଦେଶପ୍ରେମ ଓ ଜାତୀୟତାବୋଧ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଓୟୁଜେ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସଂଘର ସଭାପତି ଗଙ୍ଗାଧର ରାଉତ କହିଥିଲେ। ଏହି ଅବସରରେ ପ୍ରଫେସର ଶତୃଘ୍ନ ମଲ୍ଲିକ, ‘ଧ୍ୱନି ପ୍ରତିଧ୍ୱନି’ର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ସମବାୟବିତ୍ ଅଜୟ କୁମାର ସାମଲ, ସମାଜସେବୀ ଚନ୍ଦ୍ରାଂଶୁ ବାନାର୍ଜୀ, ଗୋପୀକୃଷ୍ଣ ମହାନ୍ତି, ୟୁନିଅନର ବରିଷ୍ଠ ସଦସ୍ୟ ଅଜିତ କୁମାର ମହାନ୍ତି, ଲକ୍ଷ୍ମୀଧର ଗାଣ, ପ୍ରସନ୍ନଜିତ ଆଶ, ମହେଶ୍ୱର ପ୍ରଧାନ, କହ୍ନେଇ ଚରଣ ପ୍ରଧାନ, ମଧୁସୂଦନ ଦାସ, ରୁଚିକ ରଞ୍ଜନ ମହାପାତ୍ର, ରାଜଶ୍ରୀ ପାଣିଗ୍ରାହୀ ଓ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ୟୁନିଅନର ସାଧାରଣ ସମ୍ପାଦକ ରବିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.