ଲଞ୍ଜିଗଡ଼ରେ ବାଇକ୍‌, କେନ୍ଦୁଝରରୁ ଇ-ଚାଲାଣ; ଆର୍‌ଟିଓ ବ୍ୟବସ୍ଥାର ସଠିକତାକୁ ନେଇ ପ୍ରଶ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରେ ଥିବା ଏକ ମୋଟରସାଇକେଲ୍‌ ନାମରେ କେନ୍ଦୁଝରରୁ ଇ-ଚାଲାଣ ଜାରି ହେବା ଘଟଣା ଆର୍‌ଟିଓର ଇ-ଚାଲାଣ ବ୍ୟବସ୍ଥାର ସଠିକତାକୁ ନେଇ ପ୍ରଶ୍ନ ଉଠାଇଛି। ଲାଞ୍ଜିଗଡ଼ର ଗାଡ଼ି ମାଲିକ ସୁରେଶ କୁମାର ଅଗ୍ରୱାଲଙ୍କ ହୋଣ୍ଡା ବାଇକ୍‌ ନମ୍ବର ସିଜି-୦୪ପିଏଫ-୧୯୯୩ ନାମରେ ଚାଲାଣ ନମ୍ବର ଓଆର୭୨୨୧୪୨୬୧୦୨୨୧୯୧୧୪୬ଜାରି ହୋଇଛି। ୨୨ ଅକ୍ଟୋବର ୨୦୨୬ ସନ୍ଧ୍ୟା ୭ଟା ୧୧ ମିନିଟ୍‌ ୪୬ ସେକେଣ୍ଡରେ ଜାରି ଏହି ଚାଲାଣରେ ୧୫୦୦ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଥିବାବେଳେ ଘଟଣାସ୍ଥଳ କେନ୍ଦୁଝର ଜିଲ୍ଲାର ଟାଙ୍ଗରାଣୀ ବୋଲି ଉଲ୍ଲେଖ ରହିଛି।ଗାଡ଼ିମାଲିକ ଶ୍ରୀ ଅଗ୍ରୱାଲ କହିବା ଅନୁଯାୟୀ, ଲଞ୍ଜିଗଡ଼ଠାରୁ ବହୁ ଦୂରରେ ଥିବା କେନ୍ଦୁଝରରେ ତାଙ୍କ ବାଇକ୍‌ ନାମରେ ଚାଲାଣ ଜାରି ହୋଇଥିବାବେଳେ, ଚାଲାଣ ସହ ସଂଲଗ୍ନ ଫଟୋରେ ବାଇକ୍‌ ବଦଳରେ ଏକ ଟ୍ରଲର୍‌ କିମ୍ବା ହାଇୱା ଭଳି ଭାରୀଯାନ ଦେଖାଯାଉଛି। ଚାଲାଣ ବାର୍ତ୍ତା ପାଇବା ପରେ ସେ ରାତି ୯ଟା ୦୩ରୁ ୯ଟା ୦୫ ମଧ୍ୟରେ ବାଇକ୍‌ଟି ଲଞ୍ଜିଗଡ଼ରେ ଥିବା ଦର୍ଶାଉଥିବା ତାରିଖ ଓ ସମୟଯୁକ୍ତ ଫଟୋ ଉଠାଇଥିବା ଜଣାପଡ଼ିଛି। ଏହି ଘଟଣା ଇ-ଚାଲାଣ ଜାରି କରିବା ପୂର୍ବରୁ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଫଟୋକୁ ଠିକ୍‌ ଭାବେ ମେଳ କରାଯାଉଛି କି ନାହିଁ, ସେନେଇ ପ୍ରଶ୍ନ ସୃଷ୍ଟି କରିଛି। ଯଦି ଫଟୋରେ ଥିବା ଭାରୀଯାନ ଓ ଚାଲାଣରେ ଉଲ୍ଲେଖିତ ବାଇକ୍‌ ନମ୍ବର ମଧ୍ୟରେ ଅସଙ୍ଗତି ରହିଛି, ତେବେ ଏପରି ଚାଲାଣ କିପରି ଜାରି ହେଲା? ଏଭଳି ତ୍ରୁଟିର ଦାୟିତ୍ୱ କାହାର? ନିର୍ଦ୍ଦୋଷ ଗାଡ଼ିମାଲିକଙ୍କୁ ଚାଲାଣ ବାତିଲ ପାଇଁ କାହିଁକି ଅଯଥା ହଇରାଣ ହେବାକୁ ପଡ଼ିବ? ଚାଲାଣ ଜାରି ପୂର୍ବରୁ ସ୍ୱୟଂଚାଳିତ ଯାଞ୍ଚ ବ୍ୟବସ୍ଥା କେତେ ଫଳପ୍ରଦ,ଏସବୁ ପ୍ରଶ୍ନ ଏବେ ଉଠୁଛି। ଗାଡ଼ି ମାଲିକ ଶ୍ରୀ ଅଗ୍ରୱାଲ ଚାଲାଣର ମୂଳ ଫଟୋ, ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଘଟଣାସ୍ଥଳର ତଥ୍ୟ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.