ସମ୍ମାନିତ ହେବେ କଳାହାଣ୍ଡିର ୪ ଡାକ୍ତର
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ନଭେମ୍ବର ମାସ ୧ ତାରିଖ, ରବିବାର ଦିନ ‘ଜେରିଆଟ୍ରିକ୍ ସୋସାଇଟି ଅଫ୍ ଇଣ୍ଡିଆ’, ଓଡ଼ିଶା ଷ୍ଟେଟ୍ ଚାପ୍ଟର୍ ତରଫରୁ ଭବାନୀପାଟଣାସ୍ଥିତ ଶହୀଦ ରେଣ୍ଡୋମାଝୀ ଭେଷଜ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ପ୍ରଥମଥର ପାଇଁ ‘ଜେରିୱିନ୍-୨୦୨୬’ ଶୀର୍ଷକ ଏକ ମଧ୍ୟବର୍ତ୍ତୀକାଳୀନ ନିରନ୍ତର ଶିକ୍ଷା ସମାବେଶ ଅନୁଷ୍ଠିତ ହେବ। ହେବାକୁଥିବା ଏହି ସମ୍ମିଳନୀର କାର୍ଯ୍ୟକାରୀ ସମ୍ପାଦକ ତଥା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡା. ଦୀନବନ୍ଧୁ ସାହୁଙ୍କ ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମଟି ୧ ନଭେମ୍ବର, ରବିବାର ଦିନ ସକାଳ ୯ ଘଣ୍ଟାଠାରୁ ସନ୍ଧ୍ୟା ୫ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଶିକ୍ଷା ସମାବେଶରେ ରାଜ୍ୟ ଶାଖା ସଭାପତି ପ୍ରଫେସର ପୂର୍ଣ୍ଣଚନ୍ଦ୍ର ଦାଶ, ପ୍ରଫେସର ଏସ୍.ଏନ୍. ସ୍ୱାଇଁ, ପ୍ରଫେସର ଜୟନ୍ତ କୁମାର ପଣ୍ଡା, ଡାକ୍ତର ମହେନ୍ଦ୍ର ସାମଲ, ପ୍ରଫେସର ଶ୍ରୀକାନ୍ତ ଧର, ପ୍ରଫେସର ସନ୍ତୋଷ ସ୍ୱାଇଁ, ପ୍ରଫେସର ଜ୍ଯୋତି ରଞ୍ଜନ ପରିଡ଼ା, ଡାକ୍ତର ମିତାଲି କର, ଡାକ୍ତର ସିଦ୍ଧାର୍ଥ ପାଣିଗ୍ରାହୀ, ଡାକ୍ତର ଏମ ନାଗେଶ୍ୱର ଆଦି ପ୍ରମୁଖଙ୍କ ସମେତ ବହୁ ଅଭିଜ୍ଞ ଭେଷଜ ବିଶେଷଜ୍ଞ ଉପସ୍ଥିତ ରହି ବାର୍ଦ୍ଧକ୍ୟ ତଥା ବାଦ୍ଧକ୍ୟଜନିତ ଆଣ୍ଠୁ ଗଣ୍ଠି, ଅସ୍ଥିମଜ୍ଜା, ହୃଦ୍ରୋଗ, ଡାଇବେଟିସ୍ ଏବଂ ସ୍ନାୟୁ ତଥା ଅନ୍ୟାନ୍ୟ ବିଭିନ୍ନ ଜରାରୋଗ ଏବଂ ଏହାର ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରିବେ। ଏହି କାର୍ଯ୍ୟକ୍ରମଟି ଆଞ୍ଚଳିକ ଡାକ୍ତର ତଥା ପଡ଼ୋଶୀ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ବିଶେଷ ଉପାଦେୟ ସାବ୍ୟସ୍ତ ହେବ ବୋଲି ଡା. ଦୀନବନ୍ଧୁ ସାହୁ କହିଛନ୍ତି। ଏହି ମଧ୍ୟବର୍ତ୍ତୀକାଳୀନ ନିରନ୍ତର ଶିକ୍ଷା ସମାବେଶ ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟର ଭେଷଜ ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଅୟସ୍କାନ୍ତ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ଜିଲ୍ଲାର ୩ଜଣ ବରିଷ୍ଠ ଡାକ୍ତର ଡ଼ା. ହରି ଶଙ୍କର ବେହେରା, ଡ଼ା. ଅନନ୍ତରାମ ତ୍ରିପାଠୀ, ଡ଼ା. ଭାରତବନ୍ଧୁ ପଣ୍ଡା ଏବଂ ସଂଘ ସଭାପତି ଡ଼ା. ପୂର୍ଣଚନ୍ଦ୍ର ଦାଶଙ୍କୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମଟିର ବିଶେଷ ସଫଳତା ତଥା ବାଦ୍ଧକ୍ୟଜନିତ ରୋଗ ଓ ବିଭିନ୍ନ ସମସ୍ୟା ସମ୍ପର୍କିତ ର୍କିତ ଜ୍ଞାନ ଆହରଣ କରିବା ପାଇଁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଡା. ହରେକୃଷ୍ଣ ଶତପଥୀ, ଆଇଏଏ, କଳାହାଣ୍ଡି ଜିଲ୍ଲା ଶାଖାର ସମ୍ପାଦକ ଡା. ରବିନାରାୟଣ ସେନାପତି ଓ ସମ୍ମିଳନୀର ସାଂଗଠନିକ ସମ୍ପାଦକ ଡା. ଦୀନବନ୍ଧୁ ସାହୁ ପ୍ରମୁଖ ଆଗ୍ରହୀ ସମସ୍ତ ଅଞ୍ଚଳିକ ଡାକ୍ତରମାନଙ୍କୁ ଯୋଗଦାନ ନିମନ୍ତେ ବିଶେଷ ଅନୁରୋଧ ଜଣାଇଛନ୍ତି।





