୧୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ୨୪ ଜଣ ପୁରସ୍କୃତ, ବିଭିନ୍ନ କ୍ଷେତ୍ରର ୨୨ ପ୍ରତିଭା ସମ୍ବର୍ଦ୍ଧିତ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାହିତ୍ୟ, ସଂସ୍କୃତି, କଳା ଓ ସାମାଜିକ ସେବାର ସମନ୍ୱୟ ମାଧ୍ୟମରେ ନୂତନ ପ୍ରତିଭା ସୃଷ୍ଟି ଏବଂ ସେମାନଙ୍କୁ ପ୍ରତିଷ୍ଠା ଦେବାର ଲକ୍ଷ୍ୟ ନେଇ ‘ସମୟର ଚକ୍ର’ ପକ୍ଷରୁ ଶାରଦୀୟ ସାରସ୍ୱତ ସାଂସ୍କୃତିକ ଉତ୍ସବ ଆୟୋଜିତ ହୋଇଯାଇଛି। ଦୀର୍ଘ ୧୫ ବର୍ଷ ଧରି ଏହି ଅନୁଷ୍ଠାନ ବାଲେଶ୍ୱର ତଥା ଉତ୍ତର ଓଡ଼ିଶାରେ ପ୍ରକୃତି ସୁରକ୍ଷା, କଳା, ସାହିତ୍ୟ, ସଂସ୍କୃତି ଓ ସାମାଜିକ କାର୍ଯ୍ୟକୁ ଆଗେଇ ନେବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛି। ଏହି ଅବସରରେ ଅତିଥିମାନେ କହିଥିଲେ ଯେ ‘ସମୟର ଚକ୍ର’ କେବଳ ଏକ ମାସିକ ସମ୍ବାଦଭିତ୍ତିକ ପତ୍ରିକା ନୁହେଁ, ବରଂ ଏକ ସାରସ୍ୱତ ଅନୁଷ୍ଠାନ ଓ ନୂତନ ପ୍ରତିଭାଙ୍କ ପାଇଁ ପ୍ରୟୋଗଶାଳା। ସାହିତ୍ୟ ବିନା ସମ୍ବାଦପତ୍ର ସମାଜରେ ନିଜର ପ୍ରକୃତ ପ୍ରତିଷ୍ଠା ହାସଲ କରିପାରିବ ନାହିଁ। ସତ୍ୟ ସମ୍ବାଦ ପରିବେଷଣରେ ଅନେକ ସଂକଟ ଥିଲେ ମଧ୍ୟ ମିଥ୍ୟାକୁ ସିଂହାସନରେ ବସାଇ କାହାକୁ ରାଜା କରାଯାଇପାରିବ ନାହିଁ। ପ୍ରତ୍ୟେକ ମଣିଷର ଜୀବନ ଏକ ଖୋଲା ସମ୍ବାଦପତ୍ରର ପୃଷ୍ଠା ପରି। ସେଥିରେ ଏପରି ସ୍ୱାକ୍ଷର ଛାଡ଼ିଯିବା ଉଚିତ, ଯାହାକୁ ପଢ଼ି ଆଗାମୀ ପିଢ଼ିର ସାଧକମାନେ ଜୀବନ ଜିଇଁବାର କଳା ଶିଖିପାରିବେ। ସମ୍ପାଦକ ସର୍ବେଶ୍ୱର ଜେନା ଓ ସହଯୋଗୀ ସମ୍ପାଦିକା ସତ୍ୟଭାମା ଜେନାଙ୍କ ପରିଚାଳନାରେ ଦିବସବ୍ୟାପୀ ଆୟୋଜିତ ଉତ୍ସବର ପ୍ରଥମ ଅଧିବେଶନରେ କବି ଅଭୟ ଦାସ ସଭାପତିତ୍ୱ କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଡ. ପଙ୍କଜ କୁମାର ଜେନା ମୁଖ୍ୟ ଅତିଥି, ଯୁବନେତା ତଥା ସମାଜସେବୀ ବିକ୍ରମ ପଣ୍ଡା ମୁଖ୍ୟବକ୍ତା ଏବଂ ଡ. ଘନଶ୍ୟାମ ବିଶ୍ୱାଳ, କବି ବ୍ରଜେନ୍ଦ୍ରନାଥ ଗିରି, ଯୁବନେତା ବିକାଶ ପାଢ଼ୀ, ଅଧ୍ୟାପକ ଗୋରାଙ୍ଗ ପଣ୍ଡା, ସମାଜସେବୀ ପ୍ରତିମା ପଣ୍ଡା ଓ ସତ୍ୟେନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେମାନେ ସମ୍ପାଦକ ସର୍ବେଶ୍ୱର ଜେନା ଓ ସହଯୋଗୀ ସମ୍ପାଦିକା ସତ୍ୟଭାମା ଜେନାଙ୍କ ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅଧିବେଶନରେ ଯୁବ ସମାଜସେବୀ ସିମନ ଦାସ ମହାପାତ୍ର, ସୁବାଷ ଦାସ, କବି ନିରୋଦ ସୁନ୍ଦର ଜେନା, ଆଶ୍ରିତା ତରାଇ, ଫକୀରମୋହନ ସାହିତ୍ୟ ପରିଷଦର ଯୁଗ୍ମ ସମ୍ପାଦିକା ତଥା କବି କଲ୍ୟାଣୀ ନନ୍ଦ, ପେଡ୍ମ୍ୟାନ୍ ସତ୍ୟନାରାୟଣ ନାୟକ, କଣ୍ଠଶିଳ୍ପୀ ଦେବାଶିଷ ମହାନ୍ତି, ନୃତ୍ୟଶିଳ୍ପୀ କୁମାରିକା ନାୟକ, ମନୋଜ ମୁଖୀ, ସଙ୍ଗୀତ ଗୁରୁ ଅମରେଶ ପାତ୍ର, ରାଧାଗୋବିନ୍ଦ ଲେଙ୍କା ଓ ବରିଷ୍ଠ ସଦସ୍ୟ ପଦ୍ମଲୋଚନ ଦତ୍ତ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଦ୍ୱିତୀୟ ଅଧିବେଶନରେ କବିତା ପାଠ ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଶାନ୍ତନୁ ପଟ୍ଟନାୟକ ଏହାକୁ ପରିଚାଳନା କରିଥିବାବେଳେ ବରିଷ୍ଠ ସାହିତ୍ୟିକ ତଥା କବି ବ୍ରଜେନ୍ଦ୍ରନାଥ ଗିରି ସଭାପତିତ୍ୱ କରିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ସମ୍ପାଦକ ଡ. ରତ୍ନାକର ସିଂହ ମୁଖ୍ୟ ଅତିଥି ଏବଂ କବି ପ୍ରଶାନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମାଜସେବୀ ଶ୍ରୀକାନ୍ତ ମହାପାତ୍ର, କବି ଭରତଚନ୍ଦ୍ର ଦାସ, ମଧୁସୂଦନ ଦାସ, ଗଗନ ସେଠୀ, ‘ଗଛ ମଣିଷ’ ରବୀନ୍ଦ୍ର ବେହେରା, ମନୋଜ କୁମାର ନାୟକ, ପ୍ରବୀର କାମିଳା, ସୁବ୍ରତା ମହାନ୍ତି ଓ ରତିକାନ୍ତ ଦାସ ପ୍ରମୁଖ ଯୋଗଦେଇ ପତ୍ରିକାର ଅଧିକ ପ୍ରସାର ଓ ସାହିତ୍ୟିକ କାର୍ଯ୍ୟକ୍ରମର ବ୍ୟାପକତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅଧିବେଶନରେ ୨୪ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ।
ଉତ୍ସବରେ ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତାରେ ପ୍ରାୟ ୧୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୨୪ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୨ ଜଣ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୁନି କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀ ସୁହାନୀ ସାଇ ଜେନାଙ୍କ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।
ଏହି କାର୍ଯ୍ୟକ୍ରମରେ ଅଭୟ ସାହୁ, ସୁସଙ୍ଗମ ଜେନା, ସନ୍ତୋଷ ପଟ୍ଟନାୟକ, ଦୀପକ ସେନ ଓ ଲକ୍ଷ୍ମୀଧର ମଣ୍ଡଳ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ସର୍ବେଶ୍ୱର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।





