ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ରହିଥିବା ଡ. ସିଦ୍ଧାର୍ଥ ପତିଙ୍କୁ ବାଲେଶ୍ଵରରେ ଦିଆଗଲା ନାଗରିକ ସମ୍ବର୍ଦ୍ଧନା

ସାମୁଦ୍ରିକ ଜୈବପ୍ରଯୁକ୍ତି ଓ ଜୈବବିବିଧତା ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ଯୁବପିଢ଼ି ପାଇଁ ପ୍ରେରଣା, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଜ୍ଞାନ ଗବେଷଣା, ସାମୁଦ୍ରିକ ଜୈବପ୍ରଯୁକ୍ତି, ଜୈବବିବିଧତା ସଂରକ୍ଷଣ ଓ ନବସୃଜନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୁବ ଓଡ଼ିଆ ବୈଜ୍ଞାନିକ ଡ. ସିଦ୍ଧାର୍ଥ ପତିଙ୍କୁ ବାଲେଶ୍ୱର ଷ୍ଟେସନ କ୍ଲବ ପରିସରରେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ‘ନାଗରିକ ସମ୍ବର୍ଦ୍ଧନା–୨୦୨୬’ ପ୍ରଦାନ କରାଯାଇଛି। ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ଜୈବପ୍ରଯୁକ୍ତିରେ ଉଚ୍ଚଶିକ୍ଷା ଓ ପିଏଚ୍‌ଡି ହାସଲ କରିଥିବା ଡ. ପତି ମାଲେସିଆ, ହଂକଂ ଓ ସିଙ୍ଗାପୁରରେ ଗବେଷଣା କରି ଆନ୍ତର୍ଜାତିକ ଅଭିଜ୍ଞତା ହାସଲ କରିଛନ୍ତି। ୨୦୨୬ରେ ସେ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଥିବା ବେଳେ ୨୦୨୪ରେ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ଏବଂ ୨୦୧୮ରେ ‘ଫ୍ୟୁଚର୍ କନ୍‌ଜରଭେସନିଷ୍ଟ ଆୱାର୍ଡ’ ହାସଲ କରିଛନ୍ତି। ତାଙ୍କର ୮୦ରୁ ଅଧିକ ଗବେଷଣା ପତ୍ର ପ୍ରକାଶିତ ହୋଇଥିବା ସହ ବୈଜ୍ଞାନିକ ପୁସ୍ତକ ସମ୍ପାଦନା ଓ ପେଟେଣ୍ଟଭିତ୍ତିକ ନବସୃଜନ କ୍ଷେତ୍ରରେ ମଧ୍ୟ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସମୁଦ୍ରଜାତ ବର୍ଜ୍ୟରୁ ଚିଟିନ୍ ଓ ଚିଟୋସାନ୍ ଭଳି ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି ସମ୍ପର୍କିତ ତାଙ୍କର ଗବେଷଣା ବିଶେଷ ଗୁରୁତ୍ୱ ବହନ କରେ। ସେହିପରି ନୀଳରକ୍ତ କଙ୍କଡ଼ା ସଂରକ୍ଷଣ ପାଇଁ ୨୦୧୨ ମସିହାରୁ ସେ ଗବେଷଣା ଓ ଜନସଚେତନତା କାର୍ଯ୍ୟରେ ନିରନ୍ତର ନିୟୋଜିତ ଅଛନ୍ତି। ଏବିସିଆର୍‌ ମାଧ୍ୟମରେ ଜୈବବିବିଧତା ସୁରକ୍ଷାରେ ଅବଦାନ ରଖିବା ସହ ନିଜ ଜୈବପ୍ରଯୁକ୍ତି ଉଦ୍ୟୋଗ ଜରିଆରେ ରୋଜଗାର ସୃଷ୍ଟି ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଦିଗରେ ସେ କାର୍ଯ୍ୟ କରୁଛନ୍ତି।ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଜ୍ଞାନିକ ତଥା ଆଇଟିଆର୍‌ର ଉପନିର୍ଦ୍ଦେଶକ ନୀଳାଦ୍ରି ରାୟ କହିଥିଲେ ଯେ, ଡ. ପତିଙ୍କ ସଫଳତା ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ଅଳ୍ପ ବୟସରେ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସଫଳତା ଓଡ଼ିଶା ପାଇଁ ଗୌରବ ଆଣିଛି। ଭାଷା ଓ ସାହିତ୍ୟର ବିକାଶ ପାଇଁ ସଂଗ୍ରାମ କରୁଥିବା ଏହି ମାଟିର ଜଣେ ଯୁବ ବୈଜ୍ଞାନିକଙ୍କ ଆନ୍ତର୍ଜାତିକ ସଫଳତା ସମସ୍ତଙ୍କ ପାଇଁ ଆନନ୍ଦ ଓ ଗର୍ବର ବିଷୟ ବୋଲି ସେ ମତପ୍ରକାଶ କରିଥିଲେ।ଶିଳ୍ପୀ କେଶୁ ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସାମ୍ବାଦିକ ବିପ୍ଳବ ମହାନ୍ତି, କବି ପ୍ରଶାନ୍ତ ଦାସ, ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ, ସମ୍ପାଦକ ଡ. ଗୋବିନ୍ଦ ବିଶ୍ୱାଳ, ବ୍ରଜେନ୍ଦ୍ର କୁମାର ପରିଡ଼ା, ଫାଉଣ୍ଡେସନର ସଭାପତି ବାସନ୍ତୀମଣି ଦାସ ଏବଂ ‘ଅରଣ୍ୟକ’ର ମୁଖ୍ୟ ତଥା କବି ସୁଧାକର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବଣଧୁଳିର ଫୁଲର ସଭାପତି ବିଜୟ ଆଚାର୍ଯ୍ୟ, ମୁନ୍ କମ୍ୟୁନିକେସନର ଅବନୀ ଜେନା, ‘ସୃଷ୍ଟି’ର ମୁଖ୍ୟ ସନତ କୁମାର ପରିଡ଼ା, ‘ଦେବାଶିଷ ସେଠୀ ସ୍ମୃତି ପରିଷଦ’ର ମିନତି ସେଠୀ, ‘ନ୍ୟୁ ହୋପ୍‌’ର ମୁଖ୍ୟ ସଂଗ୍ରାମ ଦାସ, ‘ବିକେପି ଫାଉଣ୍ଡେସନ’ର ସୁକାନ୍ତି ପରିଡ଼ା ଓ ବନଲତା ଦାସଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇ ଡ. ପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବ୍ୟଙ୍ଗକବି ପ୍ରଭାକର ସାହୁ କବିତା ମାଧ୍ୟମରେ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇଥିଲେ। ଉଷାରାଣୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅବନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.