କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ, ପରିବାରର ଏକ କୋଟି ଟଙ୍କା ଦାବି
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ନୀଳଗିରି ସହରର ୭ ନମ୍ବର ୱାର୍ଡ ଅନ୍ତର୍ଗତ ବାଲିଗୋହିରୀସ୍ଥିତ ସତ୍ୟସାଇ ଫିଲିଂ ଷ୍ଟେସନରେ ବୁଧବାର ଏକ ଦୁଃଖଦ ଅଘଟଣ ଘଟିଛି। ପେଟ୍ରୋଲ ପମ୍ପ ପରିସରରେ ଥିବା ଏକ ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍ କଟର ସାହାଯ୍ୟରେ କାଟୁଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଟାଙ୍କିର ଢାଙ୍କୁଣୀ ଛିଟିକି ଯାଇ ଶ୍ରମିକଙ୍କ ଉପରେ ପଡ଼ିବାରୁ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ହେଉଛନ୍ତି ରେମୁଣା ବ୍ଲକ୍ ଅନ୍ତର୍ଗତ ବିମୁରିଆ ଗ୍ରାମର ହୁଆ ଓରଫ ବୀରେନ୍ଦ୍ର ସିଂହ। ଘଟଣା ପରେ ପେଟ୍ରୋଲ ପମ୍ପ ପରିସରରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ଭଙ୍ଗାରୁଜା କରିଥିଲେ। ଅନ୍ୟପଟେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ନୀଳଗିରି-ସେରଗଡ଼ ରାସ୍ତାରେ ଶବ ରଖି ରାସ୍ତାରୋକ କରାଯାଇଥିଲା। ଖବର ପାଇ ନୀଳଗିରି ଥାନା ଆଇଆଇସି ଗୋବର୍ଦ୍ଧନ ନାୟକ ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ପେଟ୍ରୋଲ ପମ୍ପ ମାଲିକ ଦୀପ୍ତିକାନ୍ତ ମହାପାତ୍ର, ମ୍ୟାନେଜର କମଳଲୋଚନ ନାୟକ ଏବଂ ଗ୍ୟାସ୍ କଟର କାମରେ ନିୟୋଜିତ ଦୁଇଜଣ କର୍ମଚାରୀଙ୍କୁ ଥାନାକୁ ନେଇଥିବା ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ଉଦ୍ୟମ କରୁଛି। ମୃତ ବୀରେନ୍ଦ୍ରଙ୍କ ଭାଇ ଯୋଗେନ୍ଦ୍ର ସିଂହ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଏହି ଦୁର୍ଘଟଣା ପାଇଁ ଦାୟୀ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପୁରୁଣା ତେଲ ଟାଙ୍କିକୁ ଗ୍ୟାସ୍ କଟରରେ କାଟିବା ପୂର୍ବରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ଥିଲା। ଟାଙ୍କି ଖାଲି ଥିଲେ ମଧ୍ୟ ଏହା ଭିତରେ ଗ୍ୟାସ୍ କିମ୍ବା ଅନ୍ୟ ଦହନଶୀଳ ପଦାର୍ଥର ଅବଶେଷ ରହିଥାଇପାରେ। ତେଣୁ ଟାଙ୍କି କାଟିବା ସମୟରେ ବିସ୍ଫୋରଣର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ସେ କହିଛନ୍ତି।
ଯୋଗେନ୍ଦ୍ରଙ୍କ ଅଭିଯୋଗ ଅନୁସାରେ, ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟ ପୂର୍ବରୁ ଅଗ୍ନିଶମ ବିଭାଗର ସହାୟତା ନେବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବା ଦରକାର ଥିଲା। କିନ୍ତୁ ଏଥିପ୍ରତି ଅବହେଳା କରାଯାଇଥିବାରୁ ତାଙ୍କ ଭାଇଙ୍କ ଜୀବନ ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବା ସହ ପେଟ୍ରୋଲ ପମ୍ପ ମାଲିକ ଘଟଣାସ୍ଥଳକୁ ଆସି ଆଲୋଚନା କରିବାକୁ ଯୋଗେନ୍ଦ୍ର ଦାବି କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି। ଦାବି ସମ୍ପର୍କରେ ଲିଖିତ ନିଷ୍ପତ୍ତି ହେବା ପରେ ହିଁ ଆନ୍ଦୋଳନରୁ ହଟିବେ ବୋଲି ସେ କହିଛନ୍ତି।
ଅନ୍ୟପଟେ ପେଟ୍ରୋଲ ପମ୍ପ ମ୍ୟାନେଜର ପ୍ରଶାନ୍ତ କୁମାର ପାଣିଆ ଘଟଣା ସମୟର ଅନୁଭୂତି ବର୍ଣ୍ଣନା କରି କହିଛନ୍ତି ଯେ, ସେଦିନ ସକାଳ ପ୍ରାୟ ୬ଟାରୁ ସେ ଅଫିସରେ ବସି କାମ କରୁଥିଲେ। ଏହି ସମୟରେ କମ୍ପାନୀର କର୍ମଚାରୀମାନେ ମଧ୍ୟ କାର୍ଯ୍ୟରତ ଥିଲେ। ହଠାତ୍ ଅଫିସ ଆଡ଼କୁ କାଚ ଖଣ୍ଡ ଛିଟିକି ଆସିବାରୁ ସେ କ’ଣ ଘଟିଲା ତାହା ପ୍ରଥମେ ବୁଝିପାରି ନଥିଲେ।
ପରେ ଘଟଣାସ୍ଥଳକୁ ଯାଇ ଦେଖିବା ବେଳକୁ ଜଣେ ବ୍ୟକ୍ତି ଜଳିଯାଇ ମୃତ୍ୟୁବରଣ କରିଥିବା ସେ ଜାଣିବାକୁ ପାଇଥିଲେ। ଅଫିସର କାଚ ଝରକା ଭାଙ୍ଗି କାଚ ଖଣ୍ଡ ତାଙ୍କ ଆଡ଼କୁ ଛିଟିକି ଆସିଥିଲା। ଭାଗ୍ୟବଶତଃ ସେ ଏହି ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା କହିଛନ୍ତି।
ତେବେ ଏହି ବିସ୍ଫୋରଣର ପ୍ରକୃତ କାରଣ କ’ଣ, ଟାଙ୍କି କାଟିବା ପୂର୍ବରୁ କେଉଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ଏଥିରେ କାହାର ଅବହେଳା ରହିଛି, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ କେନ୍ଦ୍ର କରି ଅଞ୍ଚଳରେ ଉତ୍ତେଜନା ଜାରି ରହିଥିବା ବେଳେ ମୃତକଙ୍କ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ ଦାବି ଜୋର ଧରିଛି।





