ବେତନ ବୈଷମ୍ୟରୁ ପଦୋନ୍ନତି ଅବହେଳା : ୫ ଦଫା ଦାବିରେ ଗର୍ଜିଲେ ବ୍ଲକ ସମ୍ପ୍ରସାରଣ ଅଧିକାରୀ

• ଜିଲ୍ଲାପାଳଙ୍କୁ ଭେଟି ଏଓବିଇଓ-ଜେସିସିର ସ୍ମାରକପତ୍ର, ଗ୍ରେଡ୍ ପେ ବୃଦ୍ଧି ସହ ସ୍ୱାସ୍ଥ୍ୟ ଓ ଆଇନଗତ ସୁରକ୍ଷା ଦାବି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ସେବା ସର୍ତ୍ତରେ ସଂସ୍କାର ଦାବିରେ ନିଖିଳ ଓଡ଼ିଶା ବ୍ଲକ ସମ୍ପ୍ରସାରଣ ଅଧିକାରୀ ମିଳିତ ସମନ୍ୱୟ ପରିଷଦ (ଏଓବିଇଓ-ଜେସିସି) ପକ୍ଷରୁ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ପାଞ୍ଚଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ମିଳିତ ସମନ୍ୱୟ ପରିଷଦର ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ଅଧିକାରୀମାନଙ୍କ ଦୀର୍ଘଦିନର ସମସ୍ୟା ଓ ଦାବି ସମ୍ପର୍କରେ ଅବଗତ କରାଇଥିଲେ। ଚାରିଟି କ୍ୟାଡରର ଅଧିକାରୀମାନେ ସରକାରୀ ଯୋଜନାର ତୃଣମୂଳସ୍ତରୀୟ କାର୍ଯ୍ୟାନ୍ୱୟନ ସହ ଜନସାଧାରଣଙ୍କ ସହ ସିଧାସଳଖ ଜଡ଼ିତ ରହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବା ସତ୍ତ୍ୱେ ସେମାନଙ୍କ ବେତନ, ପଦୋନ୍ନତି ଓ ଅନ୍ୟାନ୍ୟ ସେବା ସୁବିଧାରେ ଅସଙ୍ଗତି ରହିଥିବା ପରିଷଦ ଅଭିଯୋଗ କରିଛି। ପରିଷଦର ପାଞ୍ଚଦଫା ଦାବି ମଧ୍ୟରେ ପ୍ରାରମ୍ଭିକ ବେତନ ହାରରେ ଗ୍ରେଡ୍ ପେ ୪,୬୦୦ ଟଙ୍କାକୁ ବୃଦ୍ଧି, ସରକାରୀ କାର୍ଯ୍ୟ ଓ କ୍ଷେତ୍ର ପରିଦର୍ଶନ ପାଇଁ ପର୍ଯ୍ୟାପ୍ତ ଯାତାୟାତ ଖର୍ଚ୍ଚ ପ୍ରଦାନ, ଅଭିଜ୍ଞ ସମ୍ପ୍ରସାରଣ ଅଧିକାରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ପଦବିକୁ ପଦୋନ୍ନତିର ସୁଯୋଗ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କର୍ମକ୍ଷେତ୍ରରେ ଆଇନଗତ ସୁରକ୍ଷା ସହ ଅତିରିକ୍ତ କିରାଣି କାର୍ଯ୍ୟଭାର ହ୍ରାସ ପାଇଁ ସ୍ୱତନ୍ତ୍ର ସହାୟକ କର୍ମଚାରୀ ନିଯୁକ୍ତି ଆଦି ଅନ୍ତର୍ଭୁକ୍ତ।ପରିଷଦର କହିବା ଅନୁଯାୟୀ, ଅଧିକାରୀମାନଙ୍କ ଉପରେ ଦିନକୁ ଦିନ ପ୍ରଶାସନିକ ଦାୟିତ୍ୱ ବଢ଼ୁଥିବା ବେଳେ ଅତିରିକ୍ତ କିରାଣି କାର୍ଯ୍ୟ ମଧ୍ୟ ଲଦି ଦିଆଯାଉଛି। ଫଳରେ ସେମାନଙ୍କ ମୂଳ ଦାୟିତ୍ୱ ଓ ଯୋଜନାର କାର୍ଯ୍ୟାନ୍ୱୟନ ବାଧାପ୍ରାପ୍ତ ହେଉଛି। ସେହିପରି ବିଭିନ୍ନ ସରକାରୀ ଯୋଜନାର ତଦାରଖ ଓ କ୍ଷେତ୍ର ପରିଦର୍ଶନ ପାଇଁ ନିଜସ୍ୱ ଖର୍ଚ୍ଚରେ ଯାତାୟାତ କରିବାକୁ ପଡ଼ୁଥିବାରୁ ସେମାନେ ଆର୍ଥିକ ଓ ପ୍ରଶାସନିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରି ଅଧିକାରୀମାନଙ୍କ କାର୍ଯ୍ୟପରିବେଶ ଓ ସେବା ସର୍ତ୍ତରେ ଆବଶ୍ୟକ ସୁଧାର ଆଣିବାକୁ ପରିଷଦ ସରକାରଙ୍କ ନିକଟରେ ଦାବି ଜଣାଇଛି। ଏହି ଅବସରରେ ପରିଷଦର ବାଲେଶ୍ୱର ମୁଖ୍ୟ ଜିଲ୍ଲା ସଂଯୋଜକ ତଥା ସହ-ଆବାହକ ରାଜକୁମାର ସିଂହ (ରେମୁଣା), ସହ-ଆବାହକ ପ୍ରସନ୍ନ କୁମାର ବାରିକ (ସିମୁଳିଆ), ଜ୍ୟୋତ୍ସ୍ନାରାଣୀ ମଲ୍ଲିକ (ସଦର), ମନୋରଞ୍ଜନ ନାୟକ (ବାହାନଗା)ଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ। ଏବେ ପରିଷଦର ଏହି ଦାବିଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହାକୁ ଅଧିକାରୀମାନେ ଅପେକ୍ଷା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.