ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମ ଜୟନ୍ତୀ ଅବସରରେ ଏକତା ଦିବସ ପାଳିତ ହୋଇଯାଇଛି। ନର୍ଲା ଆଇଆଇସି କୈବଲ୍ୟ ସେଠଙ୍କ ନେତୃତ୍ୱରେ ନର୍ଲା ଥାନା ଅଧିକାରୀ, କର୍ମଚାରୀଙ୍କ ସମେତ ନର୍ଲା ସରସ୍ୱତୀ ଶିଶୁ ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟା, ଛାତ୍ରଛାତ୍ରୀ ମାନେ, ନର୍ଲା ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ସକାଳ ୯ ଘଣ୍ଟା ସମୟରେ ହାତରେ ଏକତା ଦିବସର ବ୍ୟାନର ଧରି ନର୍ଲା ଚାରିଛକରୁ ଥାନା ଯାଏଁ ଏକ ଶୋଭାଯାତ୍ରାରେ ଆସି ଅଞ୍ଚଳ ବାସୀଙ୍କୁ ଏକତାର ବାର୍ତ୍ତା ଦେଇଥିଲେ। ଏହାପରେ ଥାନା ପରିସରରେ ସମସ୍ତ ଶୋଭାଯାତ୍ରା କାରୀ ଡାହାଣ ହାତ ଆଗକୁ ଟେକି ଏକତାର ସୂତ୍ରରେ ବାନ୍ଧି ହୋଇ ସମାଜର ମଙ୍ଗଳ କାମନା ଓ ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରି ଦେଶ ମାତୃକାର ସେବା କରିବା ପାଇଁ ଶପଥ ପାଠ କରିଥିଲେ। ଏଥିରେ ନର୍ଲାର ବୁଦ୍ଧିଜୀବୀ, ଜନ ସାଧାରଣ ମଧ୍ୟ ସାମିଲ ହୋଇଥିଲେ। ଇତ୍ୟବସରରେ ନର୍ଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନର୍ଲା ହାଇସ୍କୁଲ ପ୍ରଭୃତି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଆଇଆଇସି ଶ୍ରୀ ସେଠ ଧନ୍ୟବାଦ ଅର୍ପଣ କରିଥିଲେ। ଏସଆଇ ଦିପ୍ତିକାନ୍ତ ବାରିକ, ଏଏସଆଇ ଅବନୀ ରଞ୍ଜନ ଖୁରା, ପ୍ରଦୀପ ସେଠୀ, ବୀରେନ୍ଦ୍ର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ କନେଷ୍ଟବଳ, ଗ୍ରାମରକ୍ଷୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।






