ଛାତ୍ରଛାତ୍ରୀଙ୍କୁ ନେଇ ସରକାରୀ କାର୍ଯ୍ୟକ୍ରମରେ ଶୋଭାଯାତ୍ରା, ଜାତୀୟ ନେତ୍ରୀଙ୍କ ସ୍ମୃତି ଦିବସରେ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଡା. ରୂପକ ତୁରୁକଙ୍କ ଅସନ୍ତୋଷ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ବାହାଘର ବେଳେ ବାଇଗଣ ରୁଆ! ଏହି ଲୋକକଥାର ବାସ୍ତବ ଚିତ୍ର ଶନିବାର କୋରାପୁଟ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖସ୍ଥ ଇନ୍ଦିରା ଗାନ୍ଧୀ ପାର୍କରେ ଦେଖିବାକୁ ମିଳିଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପୂର୍ବରୁ କଂଗ୍ରେସ କର୍ମୀମାନେ ନିଜେ ପାର୍କ ପରିସର ସଫା କରିଥିଲେ। ଏହି ଅବ୍ୟବସ୍ଥାକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ଡା. ରୂପକ ତୁରୁକ ଅସନ୍ତୋଷ ପ୍ରକାଶ କରିଥିଲେ। ଜଣେ ଜାତୀୟ ନେତ୍ରୀଙ୍କ ସ୍ମୃତି ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଅବସରରେ ପାର୍କର ସଫେଇ ପାଇଁ ପୌରପାଳିକା ପକ୍ଷରୁ ପୂର୍ବ ପ୍ରସ୍ତୁତି ନହେବା ଏହାର ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏଥିସହ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇ ଶୋଭାଯାତ୍ରା ଆୟୋଜନ କରାଯାଉଥିବା ବେଳେ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଜିଲ୍ଲା ଲୋକସମ୍ପର୍କ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କୌଣସି ଅଧିକାରୀ ଉପସ୍ଥିତ ନଥିବା ଘଟଣାକୁ ନେଇ ଡା. ତୁରୁକ ଅସନ୍ତୋଷ ଜଣାଇଥିଲେ। ଜାତୀୟ ନେତାଙ୍କ ସ୍ମୃତି ଦିବସରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତି ଓ ସମ୍ମାନ ପ୍ରଦର୍ଶନକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ଏହି ଘଟଣା କେବଳ ଗୋଟିଏ ଦିନର ସଫେଇ ଅବ୍ୟବସ୍ଥା ନୁହେଁ, ବରଂ ପାର୍କର ନିୟମିତ ରକ୍ଷଣାବେକ୍ଷଣ ଓ ସ୍ମୃତି ଦିବସ ପ୍ରତି ପ୍ରଶାସନର ଆଭିମୁଖ୍ୟକୁ ନେଇ ମଧ୍ୟ ଆଲୋଚନାର ବିଷୟ ହୋଇଛି। ସ୍ମୃତିସ୍ଥଳର ସଫେଇ, ସୌନ୍ଦର୍ଯ୍ୟକରଣ ଓ ରକ୍ଷଣାବେକ୍ଷଣ କେବଳ ବିଶେଷ ଦିବସରେ ସୀମିତ ନରହି ବର୍ଷସାରା ନିୟମିତ ଭାବେ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।





