ପୁଲିସକୁ ଖବର ପରେ ବି ପହଞ୍ଚିବାରେ ୩ରୁ ୪ ଘଣ୍ଟା ବିଳମ୍ବ ଅଭିଯୋଗ, ସଦର ପୁଲିସର ତତ୍ପରତାକୁ ନେଇ ପ୍ରଶ୍ନ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲା ଦଶମନ୍ତପୁର ପୋଡ଼ାଗଡ଼ ନିକଟ ପାଟମାଳିଗୁଡ଼ା ଗ୍ରାମରେ ସୁନା ଅଳଙ୍କାର ଚୋରି ଉଦ୍ୟମ ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ମହିଳାଙ୍କ ସୁନା ଅଳଙ୍କାର ଚୋରି ଉଦ୍ୟମ ବେଳେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ ଗ୍ରାମବାସୀ କାବୁ କରି ଅଟକ ରଖିଥିଲେ। ତେବେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେବାର ୩ରୁ ୪ ଘଣ୍ଟା ପରେ ପୁଲିସ ପହଞ୍ଚିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ବିଳମ୍ବକୁ ନେଇ ସଦର ପୁଲିସର ତତ୍ପରତା ଓ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସନ୍ଦିଗ୍ଧ ଯୁବକଙ୍କୁ ଧରି ଅଟକ ରଖିବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା। ହେଲେ ପୁଲିସ ପହଞ୍ଚିବାରେ ଦୀର୍ଘ ବିଳମ୍ବ ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏଭଳି ସମ୍ବେଦନଶୀଳ ଘଟଣାରେ ପୁଲିସର ତ୍ୱରିତ ଉପସ୍ଥିତି ଓ ଆଇନଗତ ପଦକ୍ଷେପ ଜରୁରୀ ଥିବାବେଳେ ଖବର ପାଇବା ପରେ ମଧ୍ୟ ଏତେ ବିଳମ୍ବ କାହିଁକି ହେଲା, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଥାନା ଅଧିକାରୀଙ୍କ ବଦଳି ପରେ ପୁଲିସର ତତ୍ପରତା ପ୍ରଭାବିତ ହେଉଛି କି? ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି? ଏଭଳି ପ୍ରଶ୍ନ ମଧ୍ୟ ଉଠୁଛି। ତେବେ ବିଳମ୍ବର ପ୍ରକୃତ କାରଣ ସମ୍ପର୍କରେ ପୁଲିସର ପକ୍ଷ ଜଣାପଡ଼ିନାହିଁ। ଏହି ଘଟଣାରେ ସଦର ପୁଲିସର ସ୍ପଷ୍ଟୀକରଣ ସହ ଜରୁରୀ ସୂଚନା ମିଳିବା ପରେ ତ୍ୱରିତ ପଦକ୍ଷେପ ସୁନିଶ୍ଚିତ କରିବା ଦିଗରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ପରେ ପୁଲିସ ସନ୍ଦିଗ୍ଧ ଯୁବକଙ୍କୁ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଚୋରି ଉଦ୍ୟମ ଅଭିଯୋଗର ସତ୍ୟତା ଓ ଘଟଣାର ଅନ୍ୟାନ୍ୟ ଦିଗ ତଦନ୍ତ ପରେ ସ୍ପଷ୍ଟ ହେବ। ଜନସାଧାରଣଙ୍କ ସୁରକ୍ଷା ଓ ପୁଲିସ ପ୍ରତି ଭରସା ବଜାୟ ରଖିବାକୁ ଜରୁରୀ ଘଟଣାରେ ପୁଲିସର ତତ୍ପରତା ଓ ଦାୟିତ୍ୱବୋଧ ଅପରିହାର୍ଯ୍ୟ।





