‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ୧୭ତମ ପ୍ରତିଷ୍ଠା ଦିବସରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଦାନ କରାଗଲା ‘ଭାଷା ଭାସ୍କର’ ସମ୍ମାନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷାର ସୁରକ୍ଷା, ସମୃଦ୍ଧି ଓ ବ୍ୟାପକ ପ୍ରସାର ପାଇଁ କାର୍ଯ୍ୟରତ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ୧୭ତମ ପ୍ରତିଷ୍ଠା ଦିବସ ନଭେମ୍ବର ୩ ତାରିଖରେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଥମଥର ପାଇଁ ପ୍ରଦାନ କରାଯାଇଥିବା ‘ଭାଷା ଭାସ୍କର’ ସମ୍ମାନରେ ବିଶିଷ୍ଟ ଭାଷାବିତ୍‌ ତଥା ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି। ତାଙ୍କୁ ମାନପତ୍ର, ଉପାୟନ ସହ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଉତ୍ସବରେ ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦ ଅଧ୍ୟକ୍ଷତା କରିଥିଲେ। ସେ ଉଚ୍ଚଶିକ୍ଷାରେ ବିଜ୍ଞାନ ପୁସ୍ତକଗୁଡ଼ିକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବା ସହ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ମଧ୍ୟ ଓଡ଼ିଆ ଭାଷାରେ ଉପଲବ୍ଧ କରାଇବାକୁ ମତ ଦେଇଥିଲେ।

ସମ୍ମାନ ଗ୍ରହଣ କରି ଡ. ଦେବୀପ୍ରସନ୍ନ ପଟ୍ଟନାୟକ ରାଜ୍ୟରେ ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ଅଧିକ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ। ଭାଷାର ସମୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଅନ୍ତତଃ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଚଳନ କରିବା ଉଚିତ ବୋଲି ସେ ମତ ରଖିଥିଲେ। ‘ଭାଷା ଭାସ୍କର’ ସମ୍ମାନ ପାଇ ସେ ଆନନ୍ଦ ପ୍ରକାଶ କରିଥିଲେ।

ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ତଥା ଜଗନ୍ନାଥ ସଂସ୍କୃତିର ଗବେଷକ ପ୍ରଫେସର ହରିହର କାନୁନ୍‌ଗୋ ମୁଖ୍ୟଅତିଥି ଭାବେ ଯୋଗଦେଇ ଡ. ପଟ୍ଟନାୟକଙ୍କୁ ସମ୍ମାନ ପ୍ରଦାନ କରିଥିଲେ। ଏହି ସମ୍ମାନ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ। ବାଲେଶ୍ୱରର ସାରସ୍ୱତ ଅନୁଷ୍ଠାନଗୁଡ଼ିକ ଯେଉଁ ସୃଜନଶୀଳ କାର୍ଯ୍ୟକ୍ରମ ଆରମ୍ଭ କରନ୍ତି, ପରବର୍ତ୍ତୀ ସମୟରେ ତାହା ସମଗ୍ର ଓଡ଼ିଶାରେ ଆଦୃତ ହୋଇଥାଏ ବୋଲି ସେ କହିଥିଲେ।

ଆଲୋଚନାଚକ୍ରରେ ଡ. ନିରଞ୍ଜନ ପାଢ଼ୀ ଭାଷାର ବିକାଶ ପରିବାରରୁ ଆରମ୍ଭ ହେବା ଉଚିତ ବୋଲି ମତ ଦେଇଥିଲେ। ଦୈନନ୍ଦିନ ପାରିବାରିକ ଜୀବନରେ ଅନାବଶ୍ୟକ ଇଂରାଜୀ ଶବ୍ଦର ପ୍ରୟୋଗ ପରିବର୍ତ୍ତେ ମୂଳ ଓଡ଼ିଆ ଶବ୍ଦର ବ୍ୟବହାର ପାଇଁ ସେ ଆହ୍ୱାନ ଦେଇଥିଲେ। ଡ. ମଧୁସୂଦନ ମିଶ୍ର ଭାଷାର ବିକାଶ ପାଇଁ ପୋଥି ସଂଗ୍ରହ ଓ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଭାଷା ବିକାଶ’ର ଶରତ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଉତ୍ସବର ଆରମ୍ଭରେ କବି ଦୀପକ ବୋଷଙ୍କ ରଚିତ ‘ଆମ ଭାଷା ଏକ ନଈ’ ଶୀର୍ଷକ ଭାଷା ସଙ୍ଗୀତକୁ କଲ୍ୟାଣୀ ନନ୍ଦଙ୍କ ନିର୍ଦ୍ଦେଶନାରେ ବାସନ୍ତୀ ଦେ, ପୁଷ୍ପଲତା ଚକ୍ରବର୍ତ୍ତୀ, ଶାନ୍ତଲତା ପଣ୍ଡା, ସ୍ନିଗ୍ଧା ସାମନ୍ତରାୟ, କବିତା ଜେନା, ସାଧି ବିଶି, କମଳିନୀ ଦାସ ଓ ସୁନାମଣି ଜେନା ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ।

ଭାଷାର ମହତ୍ତ୍ୱ ପ୍ରତିପାଦନ ପାଇଁ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ନେତୃତ୍ୱରେ ପଣ୍ଡିତ ସଞ୍ଜୟ କୁମାର ପଣ୍ଡା, ପ୍ରଭାକର ସାହୁ, କଲ୍ୟାଣୀ ନନ୍ଦ, ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ ଓ ପ୍ରଫୁଲ୍ଲ କୁମାର ଦାସ ‘ଆମ ଭାଷା ଶ୍ରେଷ୍ଠ ଭାଷା’ ଶୀର୍ଷକ ପ୍ରବଚନ ପ୍ରଦାନ କରିଥିଲେ। ଡ. ଶିରୀଶ ଚନ୍ଦ୍ର ଜେନା, ନିବାରଣ ଜେନା, ଅରୂପ ଚାଟ୍ଟାର୍ଜୀ ଓ ଅଞ୍ଜଳି ପଣ୍ଡା ଭାଷା ସମ୍ପର୍କରେ ନିଜସ୍ୱ ମତ ରଖିଥିବା ବେଳେ ସୁବ୍ରତା ମହାନ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ଅନୁଷ୍ଠାନର ସଦସ୍ୟାମାନେ ବିଦାୟ ସଙ୍ଗୀତ ପରିବେଷଣ କରିଥିଲେ।

ଅନୁଷ୍ଠାନର ଯୁଗ୍ମ ସମ୍ପାଦିକା ଶାନ୍ତିଲତା ପଣ୍ଡା ମଞ୍ଚ ଆହ୍ୱାନ କରିଥିବା ବେଳେ ଦୀପକ ବୋଷ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍ସବରେ ଅରୁଣା ରାୟ, ଡ. ରମାକାନ୍ତ ନାୟକ, ଶରତ କୁମାର ମହାପାତ୍ର, ‘ଶ୍ରୀ’ ପତ୍ରିକାର ସମ୍ପାଦକ କୃଷ୍ଣ ନାୟକ, ସନ୍ତୋଷ ବାରିକ, ଅର୍ଚ୍ଚନା ନନ୍ଦୀ, ଅରୁଣ ଚାଟ୍ଟାର୍ଜୀ, ସୁଷମା ମହାପାତ୍ର, ଡ. ଭାଗବତ ପ୍ରସାଦ ଦାସ, ଡ. କ୍ଷିତୀଶ୍ୱର ଦାଶ, ଡ. ରାଧାକର ସିଂହ, ଦୀନବନ୍ଧୁ ଲେଙ୍କା, ଡ. ହେମମାଳା ଦାଶ, ମମତା ମହାପାତ୍ର, ଶୁଭଙ୍କର ମହାପାତ୍ର, ପ୍ରଫେସର ରଶ୍ମିରେଖା ପତି, କରୁଣାକର ସାହୁ, ଡ. ଅରୁଣ ମିଶ୍ର, ଅକ୍ଷୟ କୁମାର ତ୍ରିପାଠୀ, ଉର୍ମିଳା ନାୟକ, ଲମ୍ବୋଦର ନାୟକ, ପ୍ରଦୀପ ମିଶ୍ର, ସଙ୍ଗୀତା ରଥ, ଅନନ୍ତ କୁମାର ଦାସ, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ଓ ଜୁମରନାଥ ପାତ୍ରଙ୍କ ସମେତ ଶତାଧିକ ସାରସ୍ୱତ ସାଧକ ଯୋଗଦେଇଥିଲେ। ଏହି ଅବସରରେ ‘ମୋ ଜୀବନ ସାରଧନ ଜନନୀ ଉତ୍କଳ ଭାଷା’ ଶୀର୍ଷକରେ ସମବେତ କବିତା ରଚନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.