ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଲା ‘ବକ୍ସିଙ୍କ ଠାରୁ ବାଜି’ ଆନ୍ତର୍ଜାତିକ ଆଲୋଚନାଚକ୍ର

ଓଡ଼ିଆ ଜାତୀୟତାବାଦ, ସ୍ୱାଭିମାନ ଓ ପ୍ରତିରୋଧର ଇତିହାସର ପୁନର୍ମୂଲ୍ୟାୟନ ଉପରେ ଗୁରୁତ୍ୱ

ଅନ୍ୟାୟ ବିରୋଧରେ ଲଢ଼ିବାର ନୈତିକ ଶକ୍ତି ଦିଏ ବାଜି ରାଉତଙ୍କ ବଳିଦାନ: କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଜାତୀୟତାବାଦ, ସ୍ୱାଭିମାନ ଓ ପ୍ରତିରୋଧର ଐତିହାସିକ ଯାତ୍ରା ଉପରେ ଆଲୋଚନା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ବୁଧବାର ଏକ ଆନ୍ତର୍ଜାତିକ ଆନ୍ତଃବିଭାଗୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶହୀଦ ବାଜି ରାଉତଙ୍କ ଜନ୍ମଶତବାର୍ଷିକୀ ଉପଲକ୍ଷେ ‘ବକ୍ସିଙ୍କ ଠାରୁ ବାଜି: ଓଡ଼ିଆ ଜାତୀୟତାବାଦର ପୁନଃବିଚାର’ ଶୀର୍ଷକ ଏହି ଆଲୋଚନାଚକ୍ରରେ ଦେଶବିଦେଶର ବହୁ ବିଶିଷ୍ଟ ଐତିହାସିକ, ଶିକ୍ଷାବିତ୍, ଲେଖକ ଓ ଗବେଷକ ଯୋଗଦେଇଥିଲେ।

ଉତ୍କଳ ବିଶ୍ୱବିଦ୍ୟାଳୟର ବକ୍ସି ଜଗବନ୍ଧୁ ଚେୟାର, ବିଳାସପୁରସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଭୁବନସ୍ଥିତ ବାଜି ରାଉତ ସ୍ମାରକୀ ମହାବିଦ୍ୟାଳୟ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ବିଭିନ୍ନ ବିଦ୍ରୋହ, ଭାଷା ଆନ୍ଦୋଳନ ଓ ସାଂସ୍କୃତିକ ଚେତନା କିପରି ଓଡ଼ିଆ ଅସ୍ମିତାକୁ ରୂପ ଦେଇଛି, ତାହା ଉପରେ ଏଥିରେ ବିସ୍ତୃତ ଆଲୋଚନା ହୋଇଥିଲା।

ଉଦ୍‌ଘାଟନୀ ଅଧିବେଶନରେ ଅଧ୍ୟକ୍ଷତା କରି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଥିଲେ ଯେ, ଶହୀଦ ବାଜି ରାଉତଙ୍କ ଜନ୍ମଶତବାର୍ଷିକୀ କେବଳ ସ୍ମୃତିଚାରଣର ଅବସର ନୁହେଁ, ବରଂ ଇତିହାସର ପୁନର୍ମୂଲ୍ୟାୟନ ପାଇଁ ଏକ ଆହ୍ୱାନ। ‘ବକ୍ସିଙ୍କଠାରୁ ବାଜି’ଙ୍କ ଯାତ୍ରା ବିଭିନ୍ନ ବିଦ୍ରୋହ, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମକୁ ଏକତ୍ରିତ କରି ଓଡ଼ିଆ ଜାତୀୟତାବାଦର କ୍ରମବିକାଶକୁ ଦର୍ଶାଉଛି।

ବ୍ରାହ୍ମଣୀ ନଦୀକୂଳରେ ଜଣେ କୁନି ବାଳକର ପ୍ରତିରୋଧ ଶକ୍ତି ଓ ନୈତିକ ସାହସ ଦେଶର ସ୍ୱାଧୀନତା ସଂଗ୍ରାମକୁ ଏକ ନୂତନ ଦିଗ ଦେଇଥିଲା। ବକ୍ସି ଜଗବନ୍ଧୁ ସାର୍ବଭୌମତ୍ୱ ଓ ବିଦ୍ରୋହର ପ୍ରତୀକ ହୋଇଥିବାବେଳେ ବାଜି ରାଉତ କ୍ଷମତାହୀନ ହୋଇ ମଧ୍ୟ ଅନ୍ୟାୟ ବିରୋଧରେ ଛିଡ଼ା ହେବାର ନୈତିକ ଶକ୍ତିର ପରିଚୟ ଦେଇଥିଲେ ବୋଲି ସେ କହିଥିଲେ। ନିଜର ଅଧିକାର ଓ ପରିଚୟ ପାଇଁ ଚାଲିଥିବା ସଂଗ୍ରାମରେ ବାଜି ରାଉତଙ୍କ ବଳିଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ସେ ମତ ଦେଇଥିଲେ।

ଏହି ଅଧିବେଶନରେ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ କୁମାର ଚକ୍ରୱାଲ ମୁଖ୍ୟ ଅତିଥି ଏବଂ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବକ୍ସି ଜଗବନ୍ଧୁ ଚେୟାରର ପ୍ରଫେସର ତନୁତୃଷ୍ଣା ପାଣିଗ୍ରାହୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ବାଜି ରାଉତ ଫାଉଣ୍ଡେସନର ସଭାପତି ଡ. କୃଷ୍ଣଚନ୍ଦ୍ର ଆଇଚ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା ମଧ୍ୟ ସମ୍ବୋଧିତ କରିଥିଲେ। ଏହି ଅବସରରେ ଶହୀଦ ବାଜି ରାଉତଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଦୁଇଦିନ ବ୍ୟାପୀ ଆୟୋଜିତ ଏହି ଆଲୋଚନାଚକ୍ରର ପାଞ୍ଚଟି ବିଷୟଭିତ୍ତିକ ଅଧିବେଶନରେ ପ୍ରତିରୋଧର ଧାରା, ଓଡ଼ିଆ ଅସ୍ମିତା, ସାହିତ୍ୟର ଭୂମିକା ଏବଂ ଜାତୀୟତାବାଦର ତୁଳନାତ୍ମକ ଦିଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ଡ. କୈଳାସ ଚନ୍ଦ୍ର ଦାଶ, ପ୍ରଫେସର ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ପ୍ରଫେସର ଅମିୟ କୁମାର ପଟ୍ଟନାୟକ, ପ୍ରଫେସର ବସନ୍ତ କୁମାର ପଣ୍ଡା, ପ୍ରଫେସର ଯତୀନ୍ଦ୍ର କୁମାର ନାୟକ, ପ୍ରଫେସର ବିଜୟ କୁମାର ଶତପଥୀ, ପ୍ରଫେସର ବୈଷ୍ଣବ ଚରଣ ସାମଲ ଓ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟଙ୍କ ସମେତ ବହୁ ବରିଷ୍ଠ ଶିକ୍ଷାବିତ୍ ଭାଗ ନେଇଥିଲେ।

ଆନ୍ତର୍ଜାତିକ ଅଧିବେଶନରେ ବ୍ୟାଙ୍କକ୍‌ର ଡ. ଅନିତା ବୋଷ, ବୁଲଗେରିଆ ଏକାଡେମୀ ଅଫ୍ ସାଇନ୍ସେସ୍‌ର ଡ. ଲ୍ୟୁଡମିଲା କ୍ଲାସାନୋଭା ଏବଂ ନେପାଳର ତ୍ରିଭୁବନ ବିଶ୍ୱବିଦ୍ୟାଳୟର ଡ. ମୃଗେନ୍ଦ୍ର ବାହାଦୁର କାର୍କୀ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କିଶୋର କୁମାର ବାସା ମୁଖ୍ୟ ଅତିଥି ଏବଂ ଏଫ୍‌ଆଇଡିଆର୍‌ର ପ୍ରତିଷ୍ଠାତା ତଥା ନୀତି ବିଶେଷଜ୍ଞ ଚାରୁଦତ୍ତ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଡ. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅଧ୍ୟକ୍ଷତା କରିଥିବାବେଳେ ପ୍ରଫେସର ରାମକୃଷ୍ଣ ପ୍ରଧାନ, ବାବାଜୀ ଚରଣ ପଟ୍ଟନାୟକ ଓ ଡ. ପ୍ରଭାତ ମଲ୍ଲିକ ଉପସ୍ଥିତ ରହି ନିଜର ମତ ରଖିଥିଲେ। ଶେଷରେ ପ୍ରଫେସର ତନୁତୃଷ୍ଣା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.