ସାରିକାରେ ଭୋଟ୍ ଦେଲେ ନେରେଡିବାସୀ, ରାଏପାଡ଼ ଗାଁରେ ଘରେ ଘରେ ତାଲା; କୋଟିଆ ସୀମାରେ ଆନ୍ଧ୍ର ପୋଲିସର ଉପସ୍ଥିତି, ସର୍ବଦଳୀୟଙ୍କ ତୀବ୍ର ବିରୋଧ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋଟିଆ ସୀମା ବିବାଦର ସମାଧାନ ପାଇଁ ବୈଠକ, ସମୀକ୍ଷା ଓ ସର୍ବଦଳୀୟ ଆଲୋଚନା ଚାଲିଥିବାବେଳେ କୋରାପୁଟ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନୀ ପ୍ରଭାବ ପୁଣି ଚର୍ଚ୍ଚାକୁ ଆସିଛି। ନେରେଡିବାସୀ ଆନ୍ଧ୍ରର ସାରିକାକୁ ଯାଇ ମତଦାନ କରି ଫେରିଥିବାବେଳେ ନନ୍ଦପୁର ବ୍ଲକର ରାଏପାଡ଼ ଗାଁରେ ଅନେକ ଘରେ ତାଲା ଝୁଲିବା ଘଟଣା ସୀମାନ୍ତର ବାସ୍ତବ ସ୍ଥିତିକୁ ପଦାରେ ପକାଇଛି। ଅନ୍ୟପଟେ କୋଟିଆ ସୀମାରେ ଆନ୍ଧ୍ର ପୋଲିସର ଉପସ୍ଥିତି ଓ ଓଡ଼ିଶାର ଭୋଟରଙ୍କୁ ଆନ୍ଧ୍ରକୁ ନେଇ ମତଦାନ କରାଯାଇଥିବା ଅଭିଯୋଗ ନୂଆ ବିବାଦ ସୃଷ୍ଟି କରିଛି।ନେରେଡି ଅଞ୍ଚଳରେ ଏଥର ବିବାଦୀୟ ଅଞ୍ଚଳ ମଧ୍ୟରେ ଆନ୍ଧ୍ର ପକ୍ଷରୁ ମତଦାନ କେନ୍ଦ୍ର କରାଯାଇ ନଥିଲା। ଆନ୍ଧ୍ର ଅଞ୍ଚଳର ସାରିକାରେ ବୁଥ୍ ସ୍ଥାପନ ହୋଇଥିବାରୁ ନେରେଡିବାସୀ ସେଠାକୁ ଯାଇ ଭୋଟ୍ ଦେଇ ଫେରିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସର୍ବଦଳୀୟ ନେତା ଓ କର୍ମୀ ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଆନ୍ଧ୍ରର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଶାସନ ଓ ସର୍ବଦଳୀୟ ନେତାମାନେ ସୀମାନ୍ତରେ ରାତି ଜଗିବା ସହ ପରିସ୍ଥିତି ଉପରେ ନଜର ରଖିଥିଲେ। ତଥାପି ନେରେଡିବାସୀ ଆନ୍ଧ୍ରରେ ଭୋଟ୍ ଦେବା ଘଟଣା ସେମାନଙ୍କ ଉଦ୍ୟମର ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛି। ରାତି ଜଗିବା ସତ୍ତ୍ୱେ ଏଭଳି ପରିସ୍ଥିତି କାହିଁକି ରୋକାଯାଇପାରିଲା ନାହିଁ, ତାହା ଏବେ ଆଲୋଚନାର ବିଷୟ।
ସର୍ବଦଳୀୟ ନେତାମାନଙ୍କ କହିବା ଅନୁଯାୟୀ, ନେରେଡି ଓଡ଼ିଶାର ଗାଁ। ଏଠାକାର ଲୋକେ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ପାଉଥିବାବେଳେ ଆନ୍ଧ୍ରରେ ମତଦାନ କରିବା ରାଜ୍ୟର ସ୍ୱାର୍ଥ ଓ ସୀମାନ୍ତ ପରିଚୟକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଏହା ଆଗାମୀ ଦିନରେ କୋଟିଆ ଭଳି ଆଉ ଏକ ସୀମା ବିବାଦର ରୂପ ନେବାର ଆଶଙ୍କା ରହିଛି ବୋଲି ସେମାନେ ମତ ଦେଇଛନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ସୀମା ବିବାଦର ସ୍ଥାୟୀ ସମାଧାନ କରିବାକୁ ଦାବି କରିବା ସହ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି।
ଏହି ସମୟରେ ନନ୍ଦପୁର ବ୍ଲକର ରାଏପାଡ଼ ଗାଁର ଚିତ୍ର ମଧ୍ୟ ଚିନ୍ତା ବଢ଼ାଇଛି। ଗାଁରେ ଲୋକଙ୍କ ଅନୁପସ୍ଥିତି, ଘରେ ଘରେ ତାଲା ଏବଂ ରାସ୍ତାଘାଟ ଶୂନଶାନ ରହିଥିବା ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶରେ ଚାଲିଥିବା ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବାକୁ ଗାଁର ଅନେକ ଲୋକ ଯାଇଥିବା କୁହାଯାଉଛି। ଏହି ଘଟଣା ସୀମାନ୍ତ ଗ୍ରାମଗୁଡ଼ିକରେ ଓଡ଼ିଶା ପ୍ରଶାସନର ନିୟମିତ ଉପସ୍ଥିତି ଓ ଲୋକଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛି।
ଅନ୍ୟପଟେ କୋଟିଆର ଫାଟୁସିନେରୀ ଓ ନେରେଡିବାଲସା ଅଞ୍ଚଳରେ ଉଭୟ ରାଜ୍ୟର ପୋଲିସ ମୁତୟନ ରହିଛନ୍ତି। ଏହି ଅଞ୍ଚଳରେ ଆନ୍ଧ୍ର ପୋଲିସ ଅଧିକାରୀ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଥିବାବେଳେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଚାଲିଥିବା ଓ ସୀମାନ୍ତରେ ପାଟ୍ରୋଲିଂ ଜାରି ରହିଥିବା କହିଛନ୍ତି। ତେବେ ପଟାଙ୍ଗି ବିଧାୟକ ଓଡ଼ିଶାର ଭୋଟରଙ୍କୁ ଗଳାବାଟ ଦେଇ ଆନ୍ଧ୍ରକୁ ନେଇ ମତଦାନ କରାଯାଉଥିବା ଏବଂ କିଛି ଲୋକ ଭୋଟ୍ ଦେଇଥିବା ଅଭିଯୋଗ କରିଛନ୍ତି।

ସୀମାନ୍ତରେ କେବଳ ନିର୍ବାଚନ ସମୟରେ ପୋଲିସ ମୁତୟନ କିମ୍ବା ରାତି ଜଗିବା ଯଥେଷ୍ଟ ନୁହେଁ। ଲୋକଙ୍କୁ ନିଜ ଅଞ୍ଚଳରେ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ପାନୀୟଜଳ ଓ ସରକାରୀ ଯୋଜନାର ସୁବିଧା ନିୟମିତ ଭାବେ ଯୋଗାଇବା ଆବଶ୍ୟକ। ନଚେତ୍ ସୀମାନ୍ତରେ ଏଭଳି ଘଟଣା ଆଗକୁ ମଧ୍ୟ ପୁନରାବୃତ୍ତି ହେବାର ଆଶଙ୍କା ରହିବ।
କୋଟିଆକୁ ନେଇ ବାରମ୍ବାର ବୈଠକ ଓ ସମୀକ୍ଷା ହେଉଥିବା ସତ୍ତ୍ୱେ ଅନ୍ୟ ସୀମାନ୍ତ ଗାଁଗୁଡ଼ିକରେ ଏଭଳି ପରିସ୍ଥିତି କାହିଁକି ସୃଷ୍ଟି ହେଉଛି? ନେରେଡିବାସୀଙ୍କ ଆନ୍ଧ୍ରରେ ମତଦାନ, ରାଏପାଡ଼ର ଜନଶୂନ୍ୟ ଚିତ୍ର ଓ କୋଟିଆ ସୀମାରେ ଆନ୍ଧ୍ର ପୋଲିସର ଉପସ୍ଥିତି—ଏସବୁ ଘଟଣା ଓଡ଼ିଶା ପ୍ରଶାସନ ପାଇଁ ଆତ୍ମସମୀକ୍ଷାର ବିଷୟ ହୋଇଛି। ସୀମା, ମାଟି ଓ ସୀମାନ୍ତବାସୀଙ୍କ ଅଧିକାରର ସୁରକ୍ଷା ପାଇଁ ଏବେ କେବଳ ଆଶ୍ୱାସନ ନୁହେଁ, ଦୃଶ୍ୟମାନ ଓ ଦୀର୍ଘସ୍ଥାୟୀ ପଦକ୍ଷେପ ଆବଶ୍ୟକ।





