ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ କପା, ମକା ଓ ମୁଗ ପାଇଁ ମଣ୍ଡିର ବ୍ୟବସ୍ଥା ନାହିଁ। ଏଣୁ ଚାଷୀ ଏସବୁ ଅର୍ଥକାରୀ ଫସଲ ଉପୁଜାଇ ବିକ୍ରୟ କରିବା ସମୟରେ ଅଭାବୀ ବିକ୍ରୀର ଶିକାର ହୋଇଥିବା ଦେଖିବାକୁ ମିଳିଥାଏ। ଏବେ ନର୍ଲା ଅଞ୍ଚଳରେ ଚାଲିଛି ମକା ଅମଳ ଋତୁ। ଚାଷୀ ମକା ସବୁ ଜମିରୁ ଅମଳ କରି ଭଲଭାବରେ ଶୁଖାଇ ରଖିଛନ୍ତି। ମକା କ୍ୱିଣ୍ଟାଲ ପ୍ରତି ୩୦୦୦ ଟଙ୍କା ହେବା କଥା କିନ୍ତୁ ବର୍ତ୍ତମାନ ତାହା ୧୭୦୦ ରୁ ୨୦୦୦ ଟଙ୍କାରେ ବ୍ୟବସାୟୀ ମାନେ ଘରଘର ବୁଲି କିଣୁଥିବା ଦେଖାଯାଉଛି। ଅନେକ ମକାଚାଷୀ ଏତେ ଗୌଣ ମୂଲ୍ୟରେ ମକା ବିକ୍ରୟ କରିବା ପାଇଁ ମଙ୍ଗୁ ନାହାନ୍ତି। ଆଉ କିଛି ଦିନ ପରେ ରେଟ୍ ଆସିବ ବୋଲି ମକା ମଞ୍ଜି ଗଚ୍ଛିତ ରଖି ସମୟକୁ ଅପେକ୍ଷା କରି ଅନେକ ଚାଷୀ ଆଶାନେଇ ଜଗି ରହିଛନ୍ତି। ନର୍ଲା ଅଞ୍ଚଳରେ ରହିଥିବା ୩୪,୦୦୦ ହେକ୍ଟର ଜମି ମଧ୍ୟରୁ ମକା ସାଧାରଣତଃ ପଡିଆ କିସମର ଜମି ଗୁଡିକରେ ହୋଇଥାଏ। ସେଥି ମଧ୍ୟରୁ ସରିଆଁ, ରାକ୍ସି, ରୁପ୍ରା, ରୁପ୍ରାରୋଡ, ମୁସ୍କୁଟି, ଗିଗିନା ଓ ସେରଗଡ ପ୍ରଭୃତି ଗ୍ରାମ ପଞ୍ଚାୟତ ଅଞ୍ଚଳର ପ୍ରାୟ ୫୦୦ ହେକ୍ଟର ଜମିରେ ମକାଚାଷ ହୋଇଥାଏ। ଆଉ ଏହି ଅଞ୍ଚଳ ଗୁଡିକର ମକାଚାଷୀ ମାନେ ଏବେ ମକାର ଅଭାବୀ ବିକ୍ରୀକୁ ନେଇ ମୁଣ୍ଡରେ ହାତଦେଇ ବସିଛନ୍ତି। ଚାଷୀଙ୍କ ପାଇଁ ସବୁ ପ୍ରକାର ସୁବିଧା ବ୍ୟବସ୍ଥା କରୁଥିବାର ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର ମକା ଚାଷୀଙ୍କ ସ୍ୱାର୍ଥପ୍ରତି ଦୃଷ୍ଟି କାଣିଚାଏ ସୁଧା ଦେଉନଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ଏଥିପ୍ରତି ଦୃଷ୍ଟିଦେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଚାଷୀଙ୍କ ମକା ଉଚିତ୍ ମୂକ୍ୟରେ ବିକ୍ରୟ କରିବାର ସୁବିଧା କରନ୍ତୁ। ନର୍ଲାରେ ମକା ମଣ୍ଡିର ବ୍ୟବସ୍ଥା କରି ମକା ଚାଷୀଙ୍କୁ ସଙ୍କଟରୁ ଉଦ୍ଧାର କରନ୍ତୁ ବୋଲି ଦାବୀ ହେଉଛି।





