ହଷ୍ଟେଲରୁ ନିଖୋଜ ଛାତ୍ରଙ୍କ ସନ୍ଧାନ ଦାବିରେ କଲ୍ୟାଣ ବିଭାଗ ସ୍କୁଲରେ ତାଲା, ତିନି ମାସ ପରେ ବି ମିଳୁନି ଛାତ୍ରଙ୍କ ପତ୍ତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ତିନି ମାସ ବିତିଗଲା ହେଲେ ଏଯାଏଁ ମିଳିଲାନି ନିଖୋଜ ଛାତ୍ରଙ୍କ ପତ୍ତା । ପୋଲିସ ହାତ ଖାଲିଥିବା ବେଳେ ପ୍ରଧାନ ଶିକ୍ଷକ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କର ନିଘା ନାହିଁ । ନିଖୋଜ ପୁଅକୁ ଖୋଜି ଆଣିବା ଦାବିରେ ସ୍କୁଲରେ ତାଲା ପକାଇଲେ ମା ସହ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସରଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ । ସୂଚନା ଅନୁଯାୟୀ ଯୁଗାପଦର ଗ୍ରାମର ସ୍ୱର୍ଗତ ମନୋଜ ଶବରଙ୍କ ୧୨ ବର୍ଷୀୟ ପୁଅ କୁନାଲ ଶବର ଡାଙ୍ଗସରଡ଼ା ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହି ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିଲେ । ଗତ ଜୁଲାଇ ୩୧ ତାରିଖରେ ହଷ୍ଟେଲରୁ ସେ ନିଖୋଜ ହୋଇଯାଇଥିଲେ ।କିନ୍ତୁ ସ୍କୁଲ କର୍ତ୍ତୁପକ୍ଷ ପରିବାରଙ୍କୁ ଜଣାଇନଥିଲେ ନିଖୋଜର ୬ଦିନ ପରେ ପୁଅ ହଷ୍ଟେଲରୁ ନିଖୋଜ ହେବା ଖବରପାଇ ପରିବାର ଲୋକ ପ୍ରଧାନଶିକ୍ଷକଙ୍କୁ ପଚାରି ଥିଲେ ହେଲେ ସନ୍ତୋଷ ଜନକ ଉତ୍ତର ନପାଇ ଥାନାରେ ନିଖୋଜ ଅଭିଯୋଗ ଦେଇଥିଲେ । ଏହାପରେ ନିଜକୁ ବଞ୍ଚାଇବାକୁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଡାଙ୍ଗସରଡ଼ା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାଏଁ କୁନାଲଙ୍କ କୌଣସି ସନ୍ଧାନ ମିଳିପାରିନାହିଁ । ଦୀର୍ଘ ତିନି ମାସ ଧରି ଅପେକ୍ଷା କରିବା ପରେ ମଧ୍ୟ ଛାତ୍ରଙ୍କ ସନ୍ଧାନ ନ ମିଳିବାରୁ ଉତ୍ତ୍ୟକ୍ତ ହୋଇପଡ଼ିଛନ୍ତି ଯୁଗାପଦର ଗ୍ରାମବାସୀ । ନିଖୋଜ ଛାତ୍ରଙ୍କୁ ଖୋଜି ଆଣିବା ଦାବିରେ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ । କୁନାଲଙ୍କ ସନ୍ଧାନ ନ ମିଳିବା ପର୍ଯ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ଚେତାବନୀ ଦେଇଥିଲେ ଗ୍ରାମବାସୀ । ଖବର ପାଇ ଏସ୍‌ଡିପିଓ ସନ୍ତୋଷିନୀ ଓରାମ ଏବଂ ମୁନିଗୁଡ଼ା ଥାନା ଅଧିକାରୀ ଲଳିତ ସାଗର ଘଟଣାସ୍ଥଳରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ସହ ଆଲୋଚନା କରି ବୁଝାସୁଝା କରିବା ପରେ ସ୍କୁଲରୁ ତାଲା ଖୋଲାଯାଇଥିଲା । ତେବେ ତିନି ମାସ ପରେ ମଧ୍ୟ ଜଣେ ନାବାଳକ ଛାତ୍ରଙ୍କ ସନ୍ଧାନ ନ ମିଳିବା ଛାତ୍ରକୁ ନିଜ ପରିବାର ଲୋକ ଘରେ ରଖିଥିବା ଏପରି ମନଗଢା ବୟାନ ଦେବା ସହ କିଏ ତାଙ୍କୁ କହିଛି ଦେଢଲକ୍ଷ ଟଙ୍କା ଦେଲେ ପିଲାମିଳିବ ଏପରି ବୟାନବାଜି ସାଙ୍ଗକୁ ସ୍କୁଲ ପଛପଟ ନଦୀପାଖ ଜଙ୍ଗଲ ଦେଇ ପ୍ରଧାନ ଶିକ୍ଷକ ଫେରାର ହେବା ଏବେ ପ୍ରଧାନ ଶିକ୍ଷକଙ୍କ ସମ୍ପୣକ୍ତି ଘଟଣାକୁ ନେଇ ଅନେକ ପ୍ରଶ୍ନ ଠିଆ କରିଛି । କୁନାଲ କେଉଁଠି ଏବଂ କେବେ ତାଙ୍କୁ ଉଦ୍ଧାର କରାଯିବ ତାହାକୁ ନେଇ ଏବେ ଚିନ୍ତାରେ ପରିବାର ଓ ଗ୍ରାମବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.