ପ୍ରଶାସନର ତ୍ୱରିତ ହସ୍ତକ୍ଷେପ ପରେ ସାପ କାମୁଡ଼ା ପୀଡ଼ିତାଙ୍କୁ ମିଳିଲା ନୂଆ ଜୀବନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜରୁରୀ ପରିସ୍ଥିତିରେ ଜନସାଧାରଣଙ୍କ ସହାୟତା ନିବେଦନ ପ୍ରତି ତ୍ୱରିତ ଓ ସମ୍ବେଦନଶୀଳ ପଦକ୍ଷେପ ଗ୍ରହଣ କରି ନୂଆପଡ଼ା ଜିଲ୍ଲା ପ୍ରଶାସନ ଜନସେବାର ଏକ ଉଦାହରଣ ସୃଷ୍ଟି କରିଛି। ପ୍ରଶାସନର ତତ୍ପରତା ଓ ସମନ୍ୱିତ ଉଦ୍ୟମ ଯୋଗୁଁ ସୁନାବେଡ଼ା ଅଞ୍ଚଳର ଦୁର୍ଗମ ଧେକୁନପାଣି ଗ୍ରାମର ସାପ କାମୁଡ଼ାରେ ଗୁରୁତର ମହିଳା ରାଜେଶ୍ୱରୀ ପାହାରିଆଙ୍କୁ ତୁରନ୍ତ ଚିକିତ୍ସା ସହାୟତା ମିଳିପାରିଛି। ସୂଚନା ଅନୁଯାୟୀ, ରାଜେଶ୍ୱରୀଙ୍କୁ ଏକ ବିଷଧର ସାପ କାମୁଡ଼ିବା ପରେ ତାଙ୍କୁ ପ୍ରଥମେ ସୁନାବେଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲା। ତେବେ ଦୁର୍ଗମ ଅଞ୍ଚଳରେ ଯାତାୟାତ ସମସ୍ୟା ଯୋଗୁଁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାରେ ଅସୁବିଧା ଉପୁଜିଥିଲା। ଏହି ପରିସ୍ଥିତିରେ ସୋସିଆଲ ମିଡିଆ ‘ଏକ୍ସ’ ମାଧ୍ୟମରେ ମହିଳାଙ୍କ ଜୀବନ ରକ୍ଷା ପାଇଁ ତୁରନ୍ତ ଆମ୍ବୁଲାନ୍ସ ସହାୟତା ନିମନ୍ତେ ନିବେଦନ କରାଯାଇଥିଲା। ଏହି ନିବେଦନ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଆସିବା ପରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅନ୍ୟା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସୁନାବେଡ଼ା CBDAର ସହଯୋଗରେ ମହିଳାଙ୍କୁ ନୂଆପଡ଼ା DHHକୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା। ସୁନାବେଡ଼ା CBDAର ସ୍ୱତନ୍ତ୍ର ଅଧିକାରୀ ବିଜୟାନନ୍ଦ ମଲ୍ଲିକ ଆମ୍ବୁଲାନ୍ସ ଧେକୁନପାଣି ଗ୍ରାମରେ ପହଞ୍ଚିବା ଓ ରୋଗୀଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିଥିଲେ। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA)ର ସଚିବ ନବନୀତା ଦାଶଙ୍କ ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସମନ୍ୱୟ ରକ୍ଷା କରି ସହଯୋଗ କରିଥିଲେ। ଆମ୍ବୁଲାନ୍ସ ଧେକୁନପାଣି ଗ୍ରାମରେ ପହଞ୍ଚି ରାଜେଶ୍ୱରୀଙ୍କୁ ସୁରକ୍ଷିତ ଭାବେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏବଂ ଚିକିତ୍ସା ସୁଚାରୁ ରୂପେ ଚାଲିଥିବା ଜଣାପଡ଼ିଛି। ଜରୁରୀ ସମୟରେ ଜିଲ୍ଲାପାଳଙ୍କ ତ୍ୱରିତ ହସ୍ତକ୍ଷେପ, ବିଭିନ୍ନ ସଂସ୍ଥା ଓ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ମାନବିକ ସମ୍ବେଦନଶୀଳତା ଯୋଗୁଁ ଜଣେ ଗୁରୁତର ରୋଗୀଙ୍କୁ ସମୟୋଚିତ ଚିକିତ୍ସା ସହାୟତା ମିଳିପାରିଛି। ଏହି ଘଟଣା ଦୁର୍ଗମ ଅଞ୍ଚଳରେ ଜନସାଧାରଣଙ୍କ ନିକଟରେ ଜରୁରୀ ସେବା ପହଞ୍ଚାଇବା ଦିଗରେ ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.