ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ଵର ଗସ୍ତ: ମଧୁବାବୁ ପେନସନ ଯୋଜନାରେ ଯୋଡ଼ି ହେଲେ ୫.୦୫ ଲକ୍ଷ ନୂଆ ହିତାଧିକାରୀ; ୪୧.୮୦ ଲକ୍ଷଙ୍କୁ ମିଳିବ ନିୟମିତ ଭତ୍ତା

ପେନସନ ବ୍ୟବସ୍ଥାରେ ଆସିଲା ସମ୍ପୂର୍ଣ୍ଣତା; UPMP ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ଏହି ଯୋଜନାର ମୋଟ ହିତାଧିକାରୀଙ୍କ ସଂଖ୍ୟା ୪୧,୮୦,୮୨୫ରେ ପହଞ୍ଚିଛି। ଯୋଗ୍ୟ ବ୍ୟକ୍ତିଙ୍କୁ ପେନସନ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଅପେକ୍ଷାର ଯୁଗ ଶେଷ ହୋଇଛି, ଏବେ ଯୋଗ୍ୟ ବ୍ୟକ୍ତିଙ୍କ ଅଧିକାରକୁ ସମ୍ମାନ ଦେବାର ଯୁଗ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମଙ୍ଗଳବାର ବାଲେଶ୍ୱର ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ଆୟୋଜିତ ମଧୁବାବୁ ପେନସନ ଯୋଜନାରେ ସାମାଜିକ ସୁରକ୍ଷା ଭତ୍ତାର ସମ୍ପୂର୍ଣ୍ଣତା ଘୋଷଣା ଏବଂ ୟୁନିଫାଏଡ୍ ପେନସନ ମ୍ୟାନେଜମେଣ୍ଟ ପୋର୍ଟାଲ (UPMP)ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ପୂର୍ବ ସରକାରଙ୍କ ସମୟରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ନିର୍ଦ୍ଦିଷ୍ଟ କୋଟା ବ୍ୟବସ୍ଥା ଥିବାରୁ ପେନସନ ପାଉଥିବା ଜଣେ ବୟୋଜ୍ୟେଷ୍ଠଙ୍କ ମୃତ୍ୟୁ ପରେ ହିଁ ଅନ୍ୟ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ସେହି ସ୍ଥାନରେ ସାମିଲ କରାଯାଉଥିଲା। ଏହି ସମ୍ବେଦନହୀନ ଓ ଅମାନବୀୟ କୋଟା ବ୍ୟବସ୍ଥାକୁ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି। ଏଣିକି ସମସ୍ତ ଯୋଗ୍ୟ ବ୍ୟକ୍ତି ପେନସନ ପାଇବେ।

ଚଳିତ ବର୍ଷର ବଜେଟ୍ ପ୍ରତିଶ୍ରୁତି ଅନୁଯାୟୀ, ଆଜି ଆଉ ୫,୦୫,୮୧୭ ଜଣ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ଏଥିପାଇଁ ବାର୍ଷିକ ଅତିରିକ୍ତ ୬୨୫ କୋଟି ଟଙ୍କା ବ୍ୟୟ ହେବ। ମାତ୍ର ୫୦୦ରୁ ୬୦୦ କୋଟି ଟଙ୍କା ପାଇଁ ଗୁରୁଜନ, ବୟୋଜ୍ୟେଷ୍ଠ ଓ ଅସହାୟ ବ୍ୟକ୍ତିଙ୍କୁ ହନ୍ତସନ୍ତ କରିବା ଶୋଭନୀୟ ନୁହେଁ। ସେମାନଙ୍କ କଲ୍ୟାଣ ପାଇଁ ଏହି ଅର୍ଥ ବ୍ୟୟ ସରକାରଙ୍କ ଏକ ସାର୍ଥକ ବିନିଯୋଗ ବୋଲି ସେ ମତବ୍ୟକ୍ତ କରିଥିଲେ।

ପେନସନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ UPMP ପୋର୍ଟାଲ ଉନ୍ମୋଚନ କରିଥିଲେ। ଏଣିକି ଯୋଗ୍ୟ ବ୍ୟକ୍ତିମାନେ ଏହି ପୋର୍ଟାଲ ଅଥବା ନିକଟସ୍ଥ ଜନସେବା କେନ୍ଦ୍ର ଓ ବିଡିଓ କାର୍ଯ୍ୟାଳୟ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଆବେଦନର ପରବର୍ତ୍ତୀ ମାସରୁ ନିୟମିତ ଭତ୍ତା ମିଳିବ। ୮୦ ବର୍ଷ ବୟସ ପୂରଣ କରିଥିବା ହିତାଧିକାରୀଙ୍କୁ ବର୍ଦ୍ଧିତ ୩,୫୦୦ ଟଙ୍କା ଭତ୍ତା ପାଇଁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ। ବୟସ ସୀମା ପୂରଣ ହେବାମାତ୍ରେ ଏହା ସ୍ୱୟଂକ୍ରିୟ ଭାବେ ଲାଗୁ ହେବ ବୋଲି ସେ କହିଥିଲେ।

ନୂତନ ହିତାଧିକାରୀମାନେ ଅକ୍ଟୋବର ଓ ନଭେମ୍ବର ମାସର ଭତ୍ତା ଏକକାଳୀନ ପାଇବେ। ନଭେମ୍ବର ୧୧ ଓ ୧୨ ତାରିଖରେ ଜିଲ୍ଲା ସ୍ତରରେ ଏବଂ ୧୩ ଓ ୧୪ ତାରିଖରେ ବ୍ଲକ ସ୍ତରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହେବ। ଏଥିରେ ଭତ୍ତା ପାଇପାରିନଥିବା ହିତାଧିକାରୀମାନେ ନଭେମ୍ବର ୨୫ ତାରିଖରେ ନିଜ ନିଜ ପଞ୍ଚାୟତ କିମ୍ବା ମ୍ୟୁନିସିପାଲିଟି କାର୍ଯ୍ୟାଳୟରୁ ନଗଦ ଭତ୍ତା ଗ୍ରହଣ କରିପାରିବେ। ଡିସେମ୍ବର ମାସଠାରୁ ପ୍ରତି ମାସର ୧୫ ତାରିଖରେ ନିୟମିତ ଭତ୍ତା ପ୍ରଦାନ କରାଯିବ।

ଏହି ଅବସରରେ ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୩୪୦ କୋଟି ଟଙ୍କା ବ୍ୟୟରେ ୭୦ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ସେଥିମଧ୍ୟରୁ ୭୮ କୋଟି ଟଙ୍କା ବ୍ୟୟରେ ୨୮ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୨୬୨ କୋଟି ଟଙ୍କା ବ୍ୟୟରେ ୪୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସଦର ବାଲେଶ୍ୱରର ଅମୂଲ୍ୟ ଆଚାର୍ଯ୍ୟ ଓ ଫୁଲାମଣି ମାରାଣ୍ଡି, ରେମୁଣାର ଶିବା ସିଂହ ଓ ଜୟନ୍ତୀ ସାହୁ, ନୀଳଗିରିର ପ୍ରଫୁଲ୍ଲ ନାୟକ ଓ ହୀରନ ଦାସ ଏବଂ ନୀଳଗିରି ଏନଏସିର ଗାୟତ୍ରୀ ବେହେରା ଓ ଗଜେନ୍ଦ୍ର ମହାପାତ୍ରଙ୍କୁ ସିଧାସଳଖ ମଧୁବାବୁ ପେନସନ ଯୋଜନାର ଭତ୍ତା ପ୍ରଦାନ କରିଥିଲେ। ଏଥିସହ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରସ୍ତୁତ ମଧୁବାବୁ ପେନସନ ଯୋଜନା ସଚେତନତା ରଥର ମଧ୍ୟ ଉଦ୍‌ଘାଟନ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ଯେ ମହିଳାମାନେ ଆଉ କେବଳ ଯୋଜନାର ହିତାଧିକାରୀ ହୋଇ ରହିବେ ନାହିଁ, ବରଂ ଉଦ୍ୟୋଗୀ ଭାବେ ଆଗକୁ ବଢ଼ିବେ। ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗୁଡ଼ିକ ସହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (SME)ର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଜନକଲ୍ୟାଣକାରୀ ସରକାର ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଓ ଅଧିକାର ପ୍ରଦାନ ପାଇଁ ପ୍ରତିବଦ୍ଧ। ଆଗକୁ ଭତ୍ତା ପାଇଁ କାହାକୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ସେ କହିଥିଲେ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ପେନସନ କେବଳ ଆର୍ଥିକ ସହାୟତା ନୁହେଁ, ଏହା ମଣିଷର ଆତ୍ମସମ୍ମାନ ଓ ସାମାଜିକ ସୁରକ୍ଷାର ପ୍ରତୀକ। ବୃଦ୍ଧ, ଅସହାୟ, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସୁରୁଖୁରୁରେ ମାସିକ ପେନସନ ପ୍ରଦାନ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି।

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ଦିନକୁ ଜିଲ୍ଲା ପାଇଁ ଏକ ସ୍ୱତନ୍ତ୍ର ଅବସର ବୋଲି ଅଭିହିତ କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଯୋଗ୍ୟ ହିତାଧିକାରୀଙ୍କୁ ପେନସନ ବଣ୍ଟନ କରିବା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, ବସ୍ତା ବିଧାୟିକା ସୁବାସିନୀ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ଡ. ବୃନ୍ଦା ଡି. ଏବଂ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.