ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆଜି ନୂଆପଡ଼ା ପୋଲିସ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ-୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ଆୟୋଜିତ ଜାତୀୟସ୍ତରୀୟ ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଉପସ୍ଥିତ ଅତିଥି ଓ ଜନସାଧାରଣ ଦେଖିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଓ ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ଘୋଷିତ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ ହୋଇଥିଲେ। ଜିଲ୍ଲାସ୍ତରୀୟ ସମାରୋହରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଏସ୍ଡିସି ଅଧ୍ୟକ୍ଷ ହୋମସିଂ ମାଝୀ, ଉପାଧ୍ୟକ୍ଷା ବେଲମତୀ ମାଝୀ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ ଓ ଭାନୁ ପ୍ରତାପ ସିଂ ମାଝୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ୧୧୦ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଅଧିକାର ଆଇନ (FRA) ଅନ୍ତର୍ଗତ ଜଙ୍ଗଲ ଜମି ଅଧିକାର ପଟ୍ଟା ବଣ୍ଟନ କରାଯାଇଥିଲା।
ଏଥିସହ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବୀରବଳ ସାହୁ (ସାଲିହାଗଡ଼)ଙ୍କ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ତାଙ୍କ ନାତି ଗୋବର୍ଦ୍ଧନ ସାହୁ ସମ୍ମାନ ଗ୍ରହଣ କରିଥିଲେ। ସେହିପରି କୋଟେନଚୁଆର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ କୋରଧରିନ କୁର୍ମୀଙ୍କ ପରିବାରକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ନାତି ରାଇସିଂ ଅଘରିଆ ସମ୍ମାନ ଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜନଜାତୀୟ ସଂସ୍କୃତି, ପରମ୍ପରା ଓ ଲୋକକଳା ଆଧାରିତ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ କରିଥିଲେ। ଏଥିସହ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ଗଣେଶ୍ୱର କହ୍ନର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ବିଡିଓ ରୋହିତ ଭୋଇଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ କାଳୀକିଙ୍କର ବିଶ୍ୱାଳ କାର୍ଯ୍ୟକ୍ରମର ସୁପରିଚାଳନା କରିଥିବାବେଳେ ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଗଣେଶ୍ୱର କହ୍ନର ଧନ୍ୟବାଦ ଅର୍ପଣ କରିଥିଲେ।





