ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ବାଲେଶ୍ୱର ଜିଲ୍ଲା ସ୍କୁଲର ସଫଳତା; ରାଜ୍ୟସ୍ତରକୁ ମନୋନୀତ ହେଲେ ଦୁଇ ଛାତ୍ରୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ବାଲେଶ୍ୱର ଜିଲ୍ଲା ସ୍କୁଲର ଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତାର ଜୁନିୟର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟର ଦୁଇ ଛାତ୍ରୀ ତ୍ରିଶା କୁମାରୀ ଚାନ୍ଦ ଓ ମୋନାଲି ବିଶ୍ୱାଳ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଗତ ନଭେମ୍ବର ୧୩ ତାରିଖରେ ଝାଡ଼େଶ୍ୱର ଇଣ୍ଟରନ୍ୟାସନାଲ ସ୍କୁଲ ଠାରେ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଜିଲ୍ଲା ସ୍କୁଲର ଟିଜିଟି-ପିସିଏମ୍‌ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କ ତତ୍ତ୍ୱାବଧାନରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ତ୍ରିଶା ଓ ମୋନାଲି ‘ସମନ୍ୱିତ ପରୀକ୍ଷଣ ପରିସର, ଚାନ୍ଦିପୁରରେ ବୈଜ୍ଞାନିକ ବର୍ଜ୍ୟ ପରିଚାଳନା’ ଶୀର୍ଷକ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ସେମାନଙ୍କ ପ୍ରକଳ୍ପ ବିଚାରକମଣ୍ଡଳୀଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ଜୁନିୟର ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲା। ଏହି ସଫଳତା ପରେ ଉଭୟ ଛାତ୍ରୀ ସେମାନଙ୍କ ମାର୍ଗଦର୍ଶିକା ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କ ସହ ଆସନ୍ତା ଡିସେମ୍ବର ୬ ତାରିଖରେ ଭୁବନେଶ୍ୱରସ୍ଥିତ ଡୁନ୍‌ ଇଣ୍ଟରନ୍ୟାସନାଲ ସ୍କୁଲରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ।ଏହି ଉଲ୍ଲେଖନୀୟ ସଫଳତାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ଆନନ୍ଦ ପ୍ରକାଶ କରିବା ସହ ଦୁଇ ଛାତ୍ରୀ ଓ ସେମାନଙ୍କ ମାର୍ଗଦର୍ଶିକାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ନିଜର ପ୍ରତିଭା ବିକାଶ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ବିଦ୍ୟାଳୟ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.