ରାଇଫଲ ଆସୋସିଏସନ୍ କଳାହାଣ୍ଡିର ଗୁରୁତ୍ବପୂର୍ଣ ବୈଠକ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ରାଇଫଲ ଆସୋସିଏସନ୍ କଳାହାଣ୍ଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭବାନୀପାଟଣାସ୍ଥିତ ସ୍ୱାଗତ ଆଇଟିସିର ସମ୍ମିଳନୀ କକ୍ଷରେ ଆସୋସିଏସନ୍‌ର ସଭାପତି ଶ୍ରୀ ଭାରତ ଭୂଷଣ ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଓଡ଼ିଶାର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ରାସବିହାରୀ ବେହେରାଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ବ୍ୟାଡମିଣ୍ଟନ୍ ଆସୋସିଏସନ୍‌ର ସଭାପତି ଦୀପକ ସାଗର କୁମାରଙ୍କୁ ରାଇଫଲ ଆସୋସିଏସନ୍ କଳାହାଣ୍ଡିର ନୂତନ ସଦସ୍ୟ ଭାବେ ସ୍ୱାଗତ କରାଯାଇଥିଲା। ଆସୋସିଏସନ୍‌ର ସଭାପତି ଶ୍ରୀ ଭାରତ ଭୂଷଣ ଦେଓଙ୍କ ସମେତ ଉପସ୍ଥିତ ସଦସ୍ୟମାନେ ତାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ବୈଠକରେ ଆସୋସିଏସନ୍‌ର ନବୀକରଣ, ସାଂଗଠନିକ କାର୍ଯ୍ୟକଳାପକୁ ଅଧିକ ସୁଦୃଢ଼ କରିବା, ଜିଲ୍ଲାରେ ରାଇଫଲ ସୁଟିଂ କ୍ରୀଡ଼ାର ପ୍ରଚାର ଓ ପ୍ରସାର, ଯୁବପିଢ଼ିଙ୍କୁ ଏହି କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା ଏବଂ ପ୍ରତିଭାବାନ ଖେଳାଳିଙ୍କୁ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏଥିସହ ଆଗାମୀ ଜିଲ୍ଲାସ୍ତରୀୟ ରାଇଫଲ ସୁଟିଂ ପ୍ରତିଯୋଗିତା ସମେତ ଅନ୍ୟାନ୍ୟ କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ, ପ୍ରସ୍ତୁତି ଓ ସଫଳ ରୂପାୟଣ ସମ୍ପର୍କରେ ସଦସ୍ୟମାନେ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲାରେ ରାଇଫଲ ସୁଟିଂ କ୍ରୀଡ଼ାକୁ ଏକ ସୁସଂଗଠିତ ଓ ଉନ୍ନତ ସ୍ତରକୁ ନେବା ସହ ଅଧିକରୁ ଅଧିକ ଯୁବ ପ୍ରତିଭାଙ୍କୁ ଏଥିରେ ସାମିଲ କରିବା ନିମନ୍ତେ ସମସ୍ତେ ମତ ପ୍ରକାଶ କରିଥିଲେ। ବୈଠକକୁ ଆସୋସିଏସନ୍‌ର ସମ୍ପାଦକ ଶ୍ରୀ ପ୍ରଦୀପ କୁମାର ଦାସ ସଂଚାଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ରୀ ସୁନୀଲ ବେହେରା, ଉପସଭାପତି ଶ୍ରୀ ଅଜୟ ମିଶ୍ର, କୋଷାଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଭୁପାଦ ପ୍ରଧାନ ଏବଂ ବରିଷ୍ଠ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ରବୀନ୍ଦ୍ର ମିଶ୍ର ଓ ଶ୍ରୀ ସଞ୍ଜୟ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ।ଶେଷରେ ଆସୋସିଏସନ୍‌ର ସାଂଗଠନିକ ଏକତା ଓ ସମସ୍ତ ସଦସ୍ୟଙ୍କ ସହଯୋଗରେ କଳାହାଣ୍ଡି ଜିଲ୍ଲାରେ ରାଇଫଲ ସୁଟିଂ କ୍ରୀଡ଼ାର ବିକାଶ ଓ ଖେଳାଳିମାନଙ୍କୁ ଉନ୍ନତ ମଞ୍ଚ ପ୍ରଦାନ କରିବା ଦିଗରେ ଆଗାମୀ ଦିନରେ ମିଳିତ ଭାବେ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.