ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ କରମତଲା ପଞ୍ଚାୟତ ଛନଛଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି| ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରମୋଦକୁମାର ବୁଡେକ ମୁଖ୍ୟ ଅତିଥି, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡିକସନ ବୁଡ଼େକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ମେଳାର ଉଦ୍ଦେଶ୍ୟ, ମାନବ ସଭ୍ୟତାକୁ ବିଜ୍ଞାନର ଅବଦାନ ସମ୍ବନ୍ଧରେ ବକ୍ତବ୍ୟ ଦେଇଥିଲେ| ବିଦ୍ୟାଳୟ ଛାତ୍ରଛାତ୍ରୀ ନିଜ ପ୍ରକଳ୍ପର ପ୍ରଦର୍ଶନ ସହ ପ୍ରକଳ୍ପର କାର୍ଯ୍ୟ ପଦ୍ଧତି ଓ ଉପଯୋଗୀତା ନେଇ ବୁଝାଇଥିଲେ| ବିଜ୍ଞାନ ଶିକ୍ଷକ ଗିରିଶ କୁମାର କର୍ତ୍ତୀ, ଲଳିତ ରାଉତ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ସବୁର ମୂଲ୍ୟାଙ୍କନ କରିଥିଲେ| ଭବାନୀ ଶଙ୍କର ପଟେଲ, ନିବାସ ଦଣ୍ଡସେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ| ମେଳା ଆୟୋଜନ ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ବିଷୟକୁ ନେଇ ସ୍ୱତନ୍ତ୍ର ଆଗ୍ରହ ଓ ସଚେତନତା ପରିଲକ୍ଷିତ ହୋଇଥିଲା|





