ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପର ପର ତିନୋଟି ବାତ୍ୟା ପ୍ରଭାବରେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଏବେ ଛନକା ପଶିଛି। ଚଳିତ ଖରିଫ ଋତୁରେ ବହୁ କଷ୍ଟରେ ଧାନ ଚାଷ କରିଥିବା ଚାଷୀମାନେ ଅମଳ ସମୟରେ ବର୍ଷାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି।ଚଳିତ ବର୍ଷ ବଙ୍ଗୋପସାଗରରେ ଅଳ୍ପ ଦିନ ଭିତରେ ତିନୋଟି ବାତ୍ୟା ସୃଷ୍ଟି ହୋଇଛି ଅର୍ଣ୍ଣବ, ମୁରସୁ ଓ ଆକ୍ଭାନ୍। ପ୍ରଥମେ ଅର୍ଣ୍ଣବ, ତା’ପରେ ମୁରସୁ ଏବେ ଆକ୍ଭାନ୍ ବାତ୍ୟା ପ୍ରଭାବରେ ଲାଞ୍ଜିଗଡ଼ ଅଞ୍ଚଳରେ ବାରମ୍ବାର ପାଗ ବିଗିଡ଼ୁଛି ଓ ବର୍ଷା ହେଉଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଅଞ୍ଚଳରେ ହୋଇଥିବା ବର୍ଷା କେତେକ ଚାଷୀଙ୍କ ପାଇଁ ବରଦାନ ସାଜିଥିବା ବେଳେ କେତେକ ଚାଷୀଙ୍କ ପାଇଁ ଦୁଃଖ ଆଣି ଦେଇଥିଲା। ବର୍ତ୍ତମାନ ବିଲରେ ପାଚିଲା ଧାନର ଲହଡ଼ି ଖେଳୁଥିବା ଦେଖି ଚାଷୀ ମନରେ ଆନନ୍ଦ ଭରିଯାଇଛି। ଅନେକ ଜମିରେ ଧାନ ପାଚି ସାରିଛି ଏବଂ ଧାନ ଅମଳ ଆରମ୍ଭ ହୋଇଛି। ଆଉ କେତେକ ସ୍ଥାନରେ ଧାନ ଅମଳ ଉପଯୋଗୀ ହୋଇଛି। ଗୁରୁବାର ଲାଞ୍ଜିଗଡ଼ ଅଞ୍ଚଳରେ ସକାଳୁ ପାଗ ବିଗିଡ଼ିବା ସହ ଦ୍ୱିପହରରୁ ବର୍ଷା ଆରମ୍ଭ ହୋଇଛି। ଏଭଳି ସମୟରେ ପ୍ରବଳ ବର୍ଷା ଓ ପବନ ହେଲେ ଧାନ ନଷ୍ଟ ହେବାର ଆଶଙ୍କା ରହିଛି। ଫଳରେ ଚାଷୀ ଧାନ କାଟିବାକୁ ସାହସ କରିପାରୁ ନାହାନ୍ତି। କାଟି ରଖିଥିବା ଧାନ ବି ଭିଜି ନଷ୍ଟ ହେବା ଭୟ ରହିଛି। ଯେଉଁମାନେ ବର୍ତ୍ତମାନ ଧାନ ଅମଳ କରୁଛନ୍ତି ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢିଯାଇଛି।ଚାଷୀଙ୍କ ପାଇଁ ଧାନ କେବଳ ଏକ ଫସଲ ନୁହେଁ, ବର୍ଷକର ପରିଶ୍ରମ, ପରିବାରର ଜୀବିକା ଓ ଆଗାମୀ ଦିନର ଆଶା। ଖରା, ବର୍ଷା, ଝଡ଼ ଓ ଅନେକ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଚାଷୀ ଧାନ ଅମଳ ପର୍ଯ୍ୟାୟରେ ପହଞ୍ଚିଛି। ଧାନ ପାଚି ମୁଣ୍ଡ ନୁଆଁଇଥିବା ବେଳେ ଅମଳ ପାଇଁ ଚାଷୀ ପ୍ରସ୍ତୁତି ଚଳାଇଥିଲା। ଏହି ସମୟରେ ବାତ୍ୟା ଆଶଙ୍କା ଚାଷୀ ମନରେ ଭୟ ସୃଷ୍ଟି କରିଛି।ଲାଞ୍ଜିଗଡ଼ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିବାରୁ ଏଠାକାର ଅଧିକାଂଶ ପରିବାର ଧାନ ଚାଷ ଉପରେ ନିର୍ଭରଶୀଳ। ଚାଷ ପାଇଁ ବିହନ, ସାର, ଔଷଧ ଓ ଶ୍ରମିକ ଖର୍ଚ୍ଚ କରି ଚାଷୀମାନେ ଫସଲ ଅମଳକୁ ଅପେକ୍ଷା କରିଥିଲେ। ହେଲେ ପବନ ସହ ପ୍ରବଳ ବର୍ଷା ହୁଏ, ତେବେ ପାଚିଲା ଧାନ ନଷ୍ଟ ହେବା ସହ ଚାଷୀ ବହୁ କ୍ଷତି ସହିବେ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ କୃଷି ବିଭାଗ ପକ୍ଷରୁ ଧାନ ସାଇତି ରଖିବା ପାଇଁ ପରାମର୍ଶ ଦେବା ସହ କ୍ଷତିଗ୍ରସ୍ତ ହେଲେ ତୁରନ୍ତ ଆବଶ୍ୟକ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି।





