କୁସୁମଖୁଣ୍ଟି ଠାରେ ସ୍ଥାୟୀ ମହିମା ମଠ ପାଇଁ ଭକ୍ତଙ୍କ ନିବେଦନ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ଗ୍ରାମରେ ଗୁରୁବାର ଅପରାହ୍ନରେ ପବିତ୍ର ଅଲେଖ ମହିମା ଯଜ୍ଞ ଅବସରରେ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଭକ୍ତିମୟ ପରିବେଶ ମଧ୍ୟରେ ଆୟୋଜିତ ଏହି ଯାତ୍ରାରେ ଗ୍ରାମର ମହିଳା ଓ କୁନି କୁନି ବାଳିକାମାନେ ମୁଣ୍ଡରେ ପୂର୍ଣ୍ଣ ଜଳ କଳସ ଧାରଣ କରି ନଗର ପରିକ୍ରମା କରିଥିଲେ ।ସଂକୀର୍ତ୍ତନ ଦଳର ଭଜନ, ଘଣ୍ଟ, ଶଙ୍ଖ ଓ ‘ଅଲେଖ ମହିମା’ ଧ୍ୱନିରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା । କଳସ ଯାତ୍ରା ଯଜ୍ଞସ୍ଥଳରେ ପହଞ୍ଚିବା ପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସହ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ବାବା ରବୀନ୍ଦ୍ର ଦାସ, ରାମ ଦାସ ଓ ବିଭୁ ସାଧୁ ପ୍ରମୁଖ ଯୋଗଦେଇ ଯଜ୍ଞର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଯଜ୍ଞ ମାଧ୍ୟମରେ ଅଞ୍ଚଳରେ ବିଶ୍ୱ ଶାନ୍ତି, ମୈତ୍ରୀ ଓ ସମୃଦ୍ଧି ପ୍ରତିଷ୍ଠା ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା । ଏହି ଧାର୍ମିକ କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମରୁ ରାଜକିଶୋର ଭକ୍ତ, ଆନନ୍ଦ ଭକ୍ତ, ଫକୀର ଭକ୍ତ, ସୁରେଶ ଭକ୍ତ, ଲାବଣ୍ୟ ଭକ୍ତ, ଘାସିରାମ ଭକ୍ତ, ଗୋରେଖ ଭକ୍ତ, ମୋହନ ଭକ୍ତ, ତିଲଗ୍ରାମ ଭକ୍ତ ଓ ଉଦ୍ଧବ ଭକ୍ତଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। କୁସୁମଖୁଣ୍ଟି ଗ୍ରାମର ଆୟୋଜନ ଅଖିଳ ଭକ୍ତ, ଟଙ୍କ ଭକ୍ତ, ଭଲ ଭକ୍ତ, ବନ ଭକ୍ତ, ପୁରୁନ ଭକ୍ତ, ଲକ୍ଷ୍ମଣ ଭକ୍ତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।କୁସୁମଖୁଣ୍ଟି ଗ୍ରାମରେ ମହିମା ଧର୍ମାବଲମ୍ବୀଙ୍କ ସଂଖ୍ୟା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସରକାରୀ ଅନୁଦାନରେ ଏଠାରେ ଏକ ସ୍ଥାୟୀ ‘ମହିମା ମଠ’ ନିର୍ମାଣ କରାଗଲେ ଭକ୍ତମାନଙ୍କ ପାଇଁ ବେଶ୍ ସୁବିଧା ହୁଅନ୍ତା ବୋଲି ମହିମା ଭକ୍ତମାନେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।





