ଡିଲେଶ୍ୱର ରଣା ପାଇବେ ଉଦୟରାଗ ସମ୍ମାନ

କଳାହାଣ୍ଡି,୧୦/୧୦: କଳାହାଣ୍ଡିର ଯୁବ ଲେଖକ ଡିଲେଶ୍ୱର ରଣା ଏଥର ସିଜିନ୍-୨ର ଉଦୟରାଗ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରର ସମ୍ଭ୍ରାନ୍ତ ପ୍ରକାଶନୀ ସଂସ୍ଥା ‘ଟାଇମପାସ୍’ ଗତ ବର୍ଷରୁ ଆରମ୍ଭ କରିଛି ୩୦ ବର୍ଷରୁ କମ୍ ବୟସର ଲେଖକଲେଖିକାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏଇ ‘ଉଦୟରାଗ’ ଆୟୋଜନ। ଚଳିତ ବର୍ଷ ଗଳ୍ପ ଓ କବିତା ବିଭାଗରେ ସର୍ବମୋଟ ତିରିଶ ଜଣ ଲେଖକଲେଖିକା ଚୟନିତ ହୋଇଛନ୍ତି। ଡିଲେଶ୍ୱର କବିତା ବିଭାଗରେ ମନୋନୀତ ହୋଇଥିବା ବେଳେ ତାଙ୍କ କବିତାଟି ପ୍ରକାଶ ପାଇବ ଉଦୟରାଗ ସଂକଳନରେ।

ଆସନ୍ତା ଅକ୍ଟୋବର ୨୦ ତାରିଖ ଦିନ ଭୁବନେଶ୍ୱର ଠାରେ ଆୟୋଜିତ ହେଉଛି ‘ଉତ୍-ସାହିତ୍ୟ’ ନାମରେ ଏକ ସୃଜନ ସମାବେଶ। ଏହି ସମାବେଶରେ ଡିଲେଶ୍ୱର ସମ୍ମାନ ଗ୍ରହଣ କରିବେ ବୋଲି ଜଣାପଡିଛି। ଏଥିସହ ସେଦିନ ‘ଉଦୟରାଗ-୨’ ନାମରେ ଏକ ସଂକଳନ ମଧ୍ୟ ଉନ୍ମୋଚିତ ହେବ ଯେଉଁଥିରେ ରହିବ ତିରିଶ ଜଣ ବିଜୟୀ ସ୍ରଷ୍ଟାଙ୍କ ଲେଖା ମାନ।

ସରକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ ଡିଲେଶ୍ୱର ରଣା ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ପୁତ୍ର ଅଟନ୍ତି। ନିଜର ସ୍ୱତନ୍ତ୍ର ଶୈଳୀର ଗପ ପାଇଁ ଚର୍ଚ୍ଚିତ ଡିଲେଶ୍ୱର କବିତାରେ ଯେତିକି ସୂକ୍ଷ୍ମ, ଗପରେ ସେତେ ସଂଭ୍ରମ। ସେ ଅଦ୍ୟାବଧି କଥା ନବପ୍ରତିଭା ସମ୍ମାନ,କାଦମ୍ବିନୀ ଗଳ୍ପଉନ୍ମେଷ ପୁରସ୍କାର, ସୃଜନ ସଳିତା ନବନିତା ପଲ୍ଲବନ ଶବ୍ଦ ସମ୍ମାନ, କବିତାରା, ୟୁଥ ଉତ୍କଳ ଯୁବ ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି। ସମ୍ପ୍ରତି ସେ ଭବାନୀପାଟଣା ବ୍ଲକରେ ସରକାରୀ ଶିକ୍ଷକ ଭାବେ ଅବସ୍ଥାପିତ।

“ମୁଁ ଭୋଗୁଥିବା ସମୟର ବିଫଳତା ହିଁ ମତେ ଗପ ଓ କବିତା ଲେଖିବା ପାଇଁ ବାଧ୍ୟ କରେ ବୋଲି ସେ କହନ୍ତି। ତାଙ୍କର ଗଳ୍ପ ଓ କବିତା ସମ୍ବାଦ, ସମାଜ, ପ୍ରମେୟ ପ୍ରଭୃତି ପତ୍ରପତ୍ରିକାରେ ପ୍ରକାଶ ପାଇ ଆଦୃତ ହୋଇଛି। ପ୍ରେମ ଓ ସଂଘର୍ଷ ତାଙ୍କ ଗପର ମୁଖ୍ୟ ସ୍ୱର। ତାଙ୍କର ଏ ସଫଳତାରେ କଳାହାଣ୍ଡି ଯୁବ ଲେଖକ ସମାବେଶ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ତଥା ଜିଲ୍ଲାର ଅନ୍ୟ ଅନୁଷ୍ଠାନ ମାନେ ଶୁଭେଛା ଜଣେଇଛନ୍ତି।

ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.