ରାୟଗଡ,୨୭/୧୦ଲ : ଭାକୁରଗୁଡା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଲିଖିତ ତିନୋଟି ପୁସ୍ତକର ଶୁଭ ଉନ୍ମୋଚନ ହୋଇଛି । ପଠନ ଦକ୍ଷତା ବୃଦ୍ଧି ଲାଗି ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀ ସଂଜୟ ମିଣିଆକା, ନିଳିମା ମାଣ୍ଡାଙ୍ଗି ଓ ଗୁଲସନ କଣ୍ଡାଗିରିଙ୍କ ଦ୍ବାରା ଲିଖିତ ପୁସ୍ତକ “ବାଘ ରାଜାର ସଭା”, “ବାଘ ମାମୁର କ୍ଷେତ” ଓ “ଆସ ନାଚିବା”କୁ ରାୟଗଡ଼ା ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ ଶୁଭ ଉନ୍ମୋଚନ କରିଛନ୍ତି ।
ଡ଼ଃ ଚନ୍ଦନ ସିଂଙ୍କ ଉଦ୍ୟମକ୍ରମେ ଶିକ୍ଷା ସନ୍ଧାନ, ଭୁବନେଶ୍ଵରର ପ୍ରମୁଖ ଅନିଲ ପ୍ରଧାନଙ୍କ ସହଯୋଗରେ ଶିକ୍ଷା ସନ୍ଧାନ ପକ୍ଷରୁ ଏହି ତିନୋଟି ପୁସ୍ତକ ପ୍ରକାଶିତ ହୋଇଛି । ବିଦ୍ୟାଳୟର ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ପ୍ରେରଣା ପାଇ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ନିଜ ନିଜ ସ୍ତରରେ ୨୩ଟି ସଚିତ୍ର ପୁସ୍ତକ ଉଭୟ କୁଭି ଓ ଓଡ଼ିଆ ଭାଷାରେ ଲେଖିଥିଲେ । ଏଥିରେ ପ୍ରତି ପୃଷ୍ଠାରେ ରଙ୍ଗୀନ ଚିତ୍ର ରହିଥିବା ସହ ସରଳ ଶବ୍ଦର ଗଦ୍ୟ ରହିଛି । ଛୋଟ ପିଲାଙ୍କୁ ଆକର୍ଷିତ କଲା ଭଳି ଏହି ସଚିତ୍ର ପୁସ୍ତକର ଚିତ୍ର ଗୁଡ଼ିକ ଆପେ ଆପେ କଥା କହିବାର ଆବେଦନ ରଖିଥିବାବେଳେ ଚିତ୍ର ସଂପର୍କିତ ସରଳ ବାକ୍ୟଗୁଡ଼ିକ ଉଭୟ କୁଭି ଓ ଓଡ଼ିଆ ଭାଷାରେ ରହିଛି ।
ଏହା ପ୍ରାଥମିକ ଶ୍ରେଣୀ ପିଲାଙ୍କ ପାଇଁ ବେଶ ଉପାଦେୟ ପୁସ୍ତକ ହୋଇପାରିବ । ମୋଟ ୨୩ଟି ବହି ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ତିନୋଟି ବହିକୁ ଶିକ୍ଷା ସନ୍ଧାନ ପ୍ରକାଶିତ କରିଛି ଏବଂ ଆଗାମୀ ଦିନରେ ଅବଶିଷ୍ଟ ପୁସ୍ତକଗୁଡ଼ିକ ପ୍ରକାଶିତ ଲାଗି ଉଦ୍ୟମ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି । ଶିକ୍ଷକ ଶ୍ରୀ ସାହୁଙ୍କ ଦିଗଦର୍ଶନରେ ଏଇ ଛାତ୍ରଛାତ୍ରୀମାନେ ପୁସ୍ତକର ଚିତ୍ର ଅଙ୍କନ ସହ କାହାଣୀ ଲେଖିଥିବାବେଳେ ଡ଼ଃ ଚନ୍ଦନ ସିଂଙ୍କ ଉଦ୍ୟମ ଯୋଗୁଁ ପିଲାଙ୍କ ସ୍ବପ୍ନ ସାକାର ହୋଇପାରିଛି । ଉନ୍ମୋଚନ ଅବସରରେ ବିଦ୍ୟାଳୟର ପିଲାଙ୍କ ଦକ୍ଷତାକୁ ଶ୍ରୀ ବାରିକ ପ୍ରଶଂସା କରିଥିବାବେଳେ ବିବିଧତାରେ ଭରା ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ଓ ଏହାର ଦକ୍ଷତାସଂପନ୍ନ ପିଲାମାନେ ବାସ୍ତବରେ ଅନ୍ୟମାନଙ୍କ ଲାଗି ପ୍ରେରଣାପ୍ରଦ ବୋଲି କହିବା ସହ ପିଲାଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଗନ ଚନ୍ଦ୍ର ସାହୁ ଏଇ ଅବସରରେ ଶିକ୍ଷା ସନ୍ଧାନ ନିକଟରେ କୃତଜ୍ଞତା ଜ୍ଞାପନ କରିଥିଲେ । ଅପରପକ୍ଷେ ପିଲାମାନେ ନିଜ ହାତରେ ସ୍ବରଚିତ ପୁସ୍ତକ ପାଇ ଅତିଶୟ ଖୁସି ପ୍ରକଟ କରିଥିଲେ । ଏଇ ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରୋଜାଲୀନ ପରିଡା, ତନୁଶ୍ରୀ ସାହୁକାର , ଚିନ୍ମୟୀ ସାହୁ ଓ ମଞ୍ଜୁଳା ପିପଳି ଉପସ୍ଥିତ ଥିଲେ ।