କଳାହାଣ୍ଡି: ମ.ରାମପୁର ଠାରେ ରାଜସ୍ଵ ଉପଖଣ୍ଡ ଦାବୀରେ ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ଦାବି କରାଯାଇଛି । ରାଜସ୍ୱ ଉପଖଣ୍ଡ ମାନ୍ୟତା ଉଦ୍ଦେଶ୍ୟରେ ମିଳିତ ଆଦିବାସୀ ସଂଗ୍ରାମ ମଞ୍ଚ ପକ୍ଷରୁ ଶିବ ମନ୍ଦିର ଠାରୁ ଏକ ରାଲି ବାହାରି କର୍ଲାମୁଣ୍ଡା ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ତହସିଲଦାର ବାସନ୍ତୀ ସେଠୀଙ୍କୁ ଏକ ଦାବୀପାତ୍ର ପ୍ରଦାନ କରାଯାଇଥିଲା । ଏଥିରେ ସଂଗ୍ରାମ ମଞ୍ଚର ସଭାପତି ପ୍ରକାଶ ମାଝୀ, ସମ୍ପାଦକ ଦ୍ରୋଣାଚାର୍ଯ୍ୟ ମାଝୀ, କର୍ଲାମୁଣ୍ଡା ବ୍ଲକ ଆଦିବାସୀ ମଞ୍ଚ ସଭାପତି ସୁରେନ୍ଦ୍ର ଭୋଇ , କର୍ଲାମୁଣ୍ଡା ବ୍ଲକ କନ୍ଧ ସମାଜ ସଭାପତି ଗୋବର୍ଦ୍ଧନ ଭୋଇ,ହଯୁବ ଆଦିବାସୀ ସଂଗଠକ ନନ୍ଦି କିଶୋର ଭୋଇ, ଓକିଲ ସଂଘ ସଭାପତି ନିରଞ୍ଜନ ନନ୍ଦ, ସଂଗ୍ରାମ ମଞ୍ଚ ଉପସଭାପତି ପଦ୍ମନ ପାତ୍ର, କନ୍ଧ ସମାଜ ସମ୍ପାଦକ ସଂକୀର୍ତ୍ତନ ଭୋଇ,ସଜିଲ୍ଲା ପରିଷଦ ସଭ୍ୟା ପ୍ରଭାବତୀ ଭୋଇ, ଲୋଚନ ଧରୁଆ ପ୍ରମୁଖ ସାମିଲ ହୋଇଥିଲେ ।
ପ୍ରକାଶଯୋଗ୍ୟ ଯେ, କର୍ଲାମୁଣ୍ଡା ବ୍ଲକର ୧୨ ଟି ପଞ୍ଚାୟତ, ମ.ରାମପୁର ବ୍ଲକର ୧୯ ଟି ପଞ୍ଚାୟତ, ନର୍ଲା ବ୍ଲକର ୨୬ ଟି ପଞ୍ଚାୟତ ଓ କେସିଙ୍ଗା ବ୍ଲକ ର ୯ ଟି ପଞ୍ଚାୟତକୁ ନେଇ ମ.ରାମପୁର ଠାରେ ରାଜସ୍ବ ଉପଖଣ୍ଡ ଅଫିସ ସ୍ଥାପନ ପାଇଁ ଦାବୀ ଜଣାଯାଇଛି ।
ମଞ୍ଚ ପକ୍ଷରୁ କୁହାଯାଇଛି ଯେ,ଏହି ଅଞ୍ଚଳର ପ୍ରାୟ ୨ ଲକ୍ଷ ୪୦ ହଜାର ଜନସଂଖ୍ୟା ଥିବାବେଳେ ଏହା ବାଣା ପାହାଡ ଘେର ଭୂଖଣ୍ଡ ଅଟେ । ବର୍ତ୍ତମାନ ରାଜସ୍ଵ ଉପଖଣ୍ଡ ଭବାନୀପାଟଣା ଯିବାକୁ ହେଲେ ମ.ରାମପୁର ର ଶେଷ ଗାଁ ଲୁବେନଗଡ ରୁ ୧୪୦ କିମି, କର୍ଲାମୁଣ୍ଡା ବ୍ଲକର ଶେଷ ଗ୍ରାମ ଖରଝୁରା ରୁ ୧୦୦ କିମି, ନର୍ଲା ବ୍ଲକର ଶେଷ ଗାଁ ସେରଗଡରୁ ୪୫ କିମି ଓ କେସିଙ୍ଗା ବ୍ଲକ ର ବେଳଖଣ୍ଡିରୁ ୮୫ କିମି ଦୂରତା ଅତିକ୍ରମ କରିବାକୁ ହୁଏ । ପୁଣି ମ.ରାମପୁର ଠାରେ ପୂର୍ତ୍ତ, ମାଇନର ଇରିଗେସନ, ଉତେଇ ଇରିଗେସନ, ଉଠ ଜଳସେଚନର ସହକାରୀ ଯନ୍ତ୍ରୀ ଅଫିସ ରହିଛି । କର୍ଲାମୁଣ୍ଡା ବ୍ଲକରୁ ମ.ରାମପୁରର ଦୂରତା ମାତ୍ର ୩୦ କିମି ଥିବାରୁ ମ.ରାମପୁର ଠାରେ ସବଡିଭିଜନ ପ୍ରତିଷ୍ଠା କରାଯାଉ ବୋଲି ଦାବୀପତ୍ରରେ ଉଲ୍ଲେଖ ରହିଛି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in
Clickhere to get 24×7 News & Views alerts
https://facebook.com/odiabarta