ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରଗତି ଶିକ୍ଷାନୁଷ୍ଠାନ, ଭବାନୀପାଟଣା ପକ୍ଷରୁ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ବନମାଳୀ ପଣ୍ଡାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ସ୍ମୃତିରେ ‘ପ୍ରଗତି ପଥ ମହୋତ୍ସବ–୨୦୨୬’ ମହାଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ସେ ଯୋଗ ଅଧିବେଶନରେ ଅଂଶଗ୍ରହଣ କରି ଶାରୀରିକ ଓ ମାନସିକ ସୁସ୍ଥତା ସହିତ ବିକଶିତ ଭାରତ–୨୦୪୭ ଗଠନରେ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ପରେ ସେ ୩୦ଟି ଏଆଇ ଓ ରୋବୋଟିକ୍ସ ପ୍ରକଳ୍ପ ସମେତ ୧୩୫ଟି ବିଜ୍ଞାନ ପ୍ରକଳ୍ପକୁ ନେଇ ଆୟୋଜିତ ‘ୟୁରେକା ଜୋନ୍’ ସମେତ ଫୁଡ୍ ଫେଷ୍ଟ ଓ ଆର୍ଟ ଗ୍ୟାଲେରୀ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ସାଂସ୍କୃତିକ କର୍ମୀ ଜୟନ୍ତ ବେହେରା ସମ୍ମାନିତ ଅତିଥି ଭାବେ ସ୍ମୃତି ମଞ୍ଚରେ ଯୋଗଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ସଙ୍ଗୀତା ପଣ୍ଡା ସ୍ମୃତି ମଞ୍ଚ ଉଦ୍ଘାଟନ କରିଥିବାବେଳେ ସଚିବ ଇଂ. ଅଜୟ କୁମାର ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ବନମାଳୀ ପଣ୍ଡା ଯୁବ ପ୍ରତିଭା ସମ୍ମାନରେ ସତ୍ୟପୀର ପ୍ରଧାନ, ସାହିତ୍ୟ ସମ୍ମାନରେ ପ୍ରତାପ କିଶୋର ମୁଣ୍ଡ, ସେବା ସମ୍ମାନରେ କର୍ତ୍ତବ୍ୟ ଫାଉଣ୍ଡେସନର ପ୍ରତିଷ୍ଠାତା ଅଶୋକ କୁମାର ପଟ୍ଟନାୟକ ଏବଂ ଶିକ୍ଷା ସମ୍ମାନରେ ବିରଞ୍ଚି ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତିଷ୍ଠାତାଙ୍କ ଜ୍ୟେଷ୍ଠ ପୁତ୍ର ବିଜୟ କୁମାର ପଣ୍ଡା ମଧ୍ୟ ଉତ୍ସବରେ ଉପସ୍ଥିତ ଥିଲେ। ଏଥିସହ ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା, ଡିଗ୍ରୀ କଲେଜର ସଭାପତି ଲକ୍ଷ୍ମୀକାନ୍ତ ବେହେରା ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ମଧ୍ୟରେ ଡ. ଚିନ୍ମୟ ଗୁରୁ, ଶେଷଦେବ ମୁଣ୍ଡ, ଦିଗେଶ୍ୱର ବେମାଲ, ଅର୍ସିଆ ସାଇଲା, ଲୋକନାଥ ଖଡ଼ିକାର ଓ ଡ. ଦେବବ୍ରତ ମହାନ୍ତିଙ୍କ ସମେତ ବିଭିନ୍ନ ଶାଖାର ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ମହୋତ୍ସବର ସଫଳ ଆୟୋଜନରେ ସହଯୋଗ କରିଥିଲେ। ମହୋତ୍ସବ ଅବସରରେ ରଙ୍ଗୋଲି, ନୃତ୍ୟ, ସଙ୍ଗୀତ, କ୍ରୀଡ଼ା, ଯୋଗ, ବିଜ୍ଞାନ ପ୍ରଦର୍ଶନୀ, କୁଇଜ୍, ଚିତ୍ରକଳା, ଫୁଡ୍ ଫେଷ୍ଟ ଓ ଫେସ୍ ପେଣ୍ଟିଂ ଆଦି ବିଭିନ୍ନ ପ୍ରତିଯୋଗିତା ଓ ସୃଜନଶୀଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରାୟ ୨,୦୦୦ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସମାଜର ବହୁ ବିଶିଷ୍ଟ ବ୍ୟକ୍ତି ଓ ଅଭିଭାବକ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡ. ଶୁଭଶ୍ରୀ ଜେନା ଓ ଅଧ୍ୟାପକ ଦକ୍ଷ ସାହୁ ସଂଯୋଜନା କରିଥିବାବେଳେ ଡ. ଚିନ୍ମୟ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।





