ଭୋଟର ତାଲିକା ସଂଶୋଧନ ପାଇଁ ୨୦୨୭ର ବିଶେଷ ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଘୋଷିତ

ନଭେମ୍ବର ୩୦ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା, ଜାନୁଆରୀ ୨୧ରେ ଚୂଡ଼ାନ୍ତ ତାଲିକା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୭ ବର୍ଷ ପାଇଁ ଭୋଟର ତାଲିକାର ବିଶେଷ ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ୨୦୨୭ ଜାନୁଆରୀ ୧ ତାରିଖକୁ ମୁଖ୍ୟ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଏଥିସହିତ ଆସନ୍ତା ବର୍ଷର ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଭବିଷ୍ୟତର ଭୋଟରମାନଙ୍କଠାରୁ ମଧ୍ୟ ଆଗୁଆ ଆବେଦନ ଗ୍ରହଣ କରାଯାଉଛି। ବାଲେଶ୍ୱର ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଏହି ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ନାଗରିକ, ରାଜନୈତିକ ଦଳ ଓ ଭୋଟରମାନଙ୍କୁ ଅବଗତ କରାଯାଇଛି। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ, ନଭେମ୍ବର ୨୦ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିଯୁକ୍ତକରଣ ଓ ପୁନଃସଂଜୀକରଣ କାର୍ଯ୍ୟ ଶେଷ ହେବ। ନଭେମ୍ବର ୩୦ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ପରେ ନଭେମ୍ବର ୩୦ରୁ ଡିସେମ୍ବର ୩୦ ପର୍ଯ୍ୟନ୍ତ ଭୋଟରମାନେ ନିଜର ଦାବି ଓ ଆପତ୍ତି ଦାଖଲ କରିପାରିବେ। ଏହି ଦାବି ଓ ଆପତ୍ତିଗୁଡ଼ିକର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଜାନୁଆରୀ ୧୬ ସୁଦ୍ଧା ଶେଷ ହେବାକୁ ଥିବାବେଳେ ଜାନୁଆରୀ ୨୧, ୨୦୨୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ପ୍ରକ୍ରିୟାରେ ୨୦୨୬ ଅକ୍ଟୋବର ୧ ସୁଦ୍ଧା କିମ୍ବା ତା’ପୂର୍ବରୁ ଭୋଟର ହେବାକୁ ଯୋଗ୍ୟତା ହାସଲ କରିଥିଲେ ମଧ୍ୟ ତାଲିକାରେ ନାମ ପଞ୍ଜୀକୃତ କରିନଥିବା ନାଗରିକମାନଙ୍କୁ ଆବେଦନ କରିବାକୁ ଆହ୍ୱାନ ଦିଆଯାଇଛି। ସେହିପରି ୨୦୨୭ର ପରବର୍ତ୍ତୀ ତିନୋଟି ଯୋଗ୍ୟତା ତାରିଖରେ ଭୋଟର ହେବାକୁ ଯୋଗ୍ୟତା ହାସଲ କରୁଥିବା ଯୁବବର୍ଗ ମଧ୍ୟ ଆଗୁଆ ଆବେଦନ କରିପାରିବେ। ଭୋଟରମାନେ ଅନ୍‌ଲାଇନ୍‌ରେ ଭୋଟର ସେବା ପୋର୍ଟାଲ କିମ୍ବା ଇସିନେଟ୍ ମୋବାଇଲ୍ ଆପ୍ ମାଧ୍ୟମରେ ଆଧାର ସଂଯୁକ୍ତ ଇ-ସ୍ୱାକ୍ଷର ବ୍ୟବହାର କରି ଦାବି ଓ ଆପତ୍ତି ଦାଖଲ କରିପାରିବେ। ଏହା ବ୍ୟତୀତ ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ନିକଟରେ ନିର୍ଦ୍ଧାରିତ ଫର୍ମର ମୁଦ୍ରିତ ନକଲ ମଧ୍ୟ ଦାଖଲ କରିବାର ବ୍ୟବସ୍ଥା ରହିଛି। ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ବୁଥ୍ ସ୍ତରୀୟ ଏଜେଣ୍ଟମାନେ ଭୋଟରଙ୍କଠାରୁ ପୂରଣ ହୋଇଥିବା ଫର୍ମ ସଂଗ୍ରହ କରି ନିଜସ୍ୱ ସତ୍ୟାପନ ସହିତ ଦୈନିକ ସର୍ବାଧିକ ୧୦ଟି ଫର୍ମ ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀଙ୍କ ନିକଟରେ ଦାଖଲ କରିପାରିବେ। ସଂଶୋଧନ ପ୍ରକ୍ରିୟାରେ ସମସ୍ତ ବର୍ଗର ନାଗରିକଙ୍କୁ ସାମିଲ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମହିଳା, ତୃତୀୟ ଲିଙ୍ଗୀ, ଅନୁସୂଚିତ ଜନଜାତି, ବିଶେଷକରି ଅତି ଦୁର୍ବଳ ଜନଜାତି ଗୋଷ୍ଠୀ, ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଗୃହହୀନ ଏବଂ ସମାଜର ଅବହେଳିତ ବର୍ଗଙ୍କୁ ଭୋଟର ତାଲିକାରେ ସହଜରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି। ଏକ ସ୍ୱଚ୍ଛ, ନିର୍ଭୁଲ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ରାଜନୈତିକ ଦଳ, ବାସିନ୍ଦା କଲ୍ୟାଣ ସଂଘ, ନାଗରିକ ସମାଜ ଓ ଜିଲ୍ଲାବାସୀଙ୍କୁ ଅପିଲ୍ କରାଯାଇଛି। ବିଶେଷକରି ନଭେମ୍ବର ୩୦ରେ ଚିଠା ତାଲିକା ପ୍ରକାଶ ପରେ ନିଜ ନାମ ଓ ଅନ୍ୟାନ୍ୟ ବିବରଣୀ ଯାଞ୍ଚ କରିବା ସହ ଆବଶ୍ୟକ ସଂଶୋଧନ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବାକୁ ସମସ୍ତ ଭୋଟରଙ୍କୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.