ସମାଜସେବୀ ମନୋଜ ପଟ୍ଟନାୟକଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ୫୭ ୟୁନିଟ ରକ୍ତ ସଂଗ୍ରହ

କଳାହାଣ୍ଡି: ସ୍ଵର୍ଗଦ୍ଵାର ସେବା ସଂଗଠନର ଅଧ୍ୟକ୍ଷ ତଥା ଯୁବ ସମାଜସେବୀ ମନୋଜ କୁମାର ପଟ୍ଟନାୟକ ନିଆରା ଢଙ୍ଗରେ ନିଜର ୪୦ତମ ଜନ୍ମଦିନ ପାଳନ କରିଛନ୍ତି। ମହାମାରୀ କରୋନା ସମୟରେ ରୋଗୀମାନେ ରକ୍ତାଭାବରେ ସମ୍ମୁଖୀନ ହେଉଥିବାରୁ ସେ ନିଜ ଜନ୍ମଦିନରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ସ୍ଵର୍ଗଦ୍ଵାର ସେବା ସଂଗଠନର ସହଯୋଗରେ ମହଗାଁ ଠାରେ ଆୟୋଜିତ ଉକ୍ତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ କେସିଙ୍ଗା ବିଡିଓ ପ୍ରଫୁଲ୍ଲ କୁମାର ଓଦୁ ଏବଂ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ଏହି ଶିବିରରେ ଶ୍ରୀଯୁକ୍ତ ପଟ୍ଟନାୟକ ନିଜେ ରକ୍ତଦାନ କରିବା ସହ ନିଜର ସହଯୋଗୀ ମାନଙ୍କୁ ନେଇ ମୋଟ ୫୭ ୟୁନିଟ ରକ୍ତଦାନ କରିଛନ୍ତି।

ସ୍ଵର୍ଗଦ୍ଵାର ସେବା ସଂଗଠନ ମାଧ୍ୟମରେ କରୋନାରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର ପରି ମହତ କାର୍ଯ୍ୟ କରୁଥିବାରୁ ଏହି ଅବସରରେ ମନୋଜ ପଟ୍ଟନାୟକଙ୍କୁ କେସିଙ୍ଗା ବିଡିଓ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ସ୍ବର୍ଗଦ୍ବାର ସେବା ସଂଗଠନର ସଂପାଦକ ମନୋଜ କୁମାର ଷଡ଼ଙ୍ଗୀଙ୍କ ସମେତ ସଜ୍ଜନ ଅଗ୍ରଓ୍ବାଲ, ସରୋଜ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଶିବିରରେ ନର୍ଲା, କର୍ଲାମୁଣ୍ଡା, ମ.ରାମପୁର ଓ କେସିଙ୍ଗା ବ୍ଲକର ବିଭିନ୍ନ ଗ୍ରାମରୁ ଯୁବକ ମାନେ ଆସି ରକ୍ତଦାନ କରିଥିଲେ। ସମାଜସେବୀ ମନୋଜ ପଟ୍ଟନାୟକଙ୍କ ଏପରି ମହତ କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.