ଗେଟିପଡା ଗ୍ରାମରେ ଶହେ ଜଣଙ୍କ କୋଭିଡ୍ ସ୍ୱାବ ଟେଷ୍ଟିଂ ଶିବିର

●୨୦ଜଣଙ୍କ ଆଣ୍ଟିଜେନ ରିପୋର୍ଟ ନେଗେଟିଭ

●କୋଭିଡ ନିୟମ ପାଳନ ପାଇଁ ଜନ ସଚେତନତାର ବାର୍ତ୍ତା ଦେଲେ ମେଡିକଲ ଟିମ୍

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବା ସହ କୋଭିଡ୍ ସ୍ୱାବ ଟେଷ୍ଟିଂ ଓ ଟୀକାକରଣକୁ ଗୁରୁତ୍ୱ ଦିଆଯାଉଛି । ରାୟଗଡ ଜିଲ୍ଳା ସଦର ବ୍ଳକ କାର୍ଲାକଣା ଗ୍ରାମ ପଂଚାୟତ ଅନ୍ତର୍ଗତ ଗେଟିପଡା ଠାରେ ଆଜି କୋଭିଡ ସ୍ୱାବ ଟେଷ୍ଟିଂ ଆରଟିପିସିଆର ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଶହେ ଜଣଙ୍କ ସ୍ୱାବ୍ ସଂଗୃହିତ ହୋଇଥିଲା। ସେଥିମଧ୍ୟରୁ ୨୦ଜଣଙ୍କ ଆଂଟିଜେନ୍ ଟେଷ୍ଟିଂ କରାଯାଇଥିଲା ଏବଂ ସମସ୍ତଙ୍କ ନମୂନା ରିପୋର୍ଟ ନେଗେଟିଭ୍ ବାହାରିଥିଲା। ଗେଟିପଡା ଗ୍ରାମରେ ଅନୁଷ୍ଠିତ କୋଭିଡ ସ୍ୱାବ୍ ଟେଷ୍ଟି ଶିବିରରେ ନିକଟସ୍ଥ ବାପୁଜୀ ନଗର, ସିଙ୍ଗାପୁର ରୋଡ୍‌, ଜେକେ କଲୋନୀ ଏବଂ ଗେଟିପଡା ଗ୍ରାମବାସୀମାନେ ସ୍ୱତଃପ୍ରତଃ ଭାବେ ଆସି ଶିବିରରେ ସ୍ୱାବ୍ ଟେଷ୍ଟିଂ କରାଇଥିଲେ।ଆରଆରଟି ଟିମ୍‌ର ଡାକ୍ତର ସୁନୀଲ ପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଳା ଏବଂ ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକଲ ଟିମ୍ ମିଳିତ ସହଯୋଗରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ୮୦ଟି ଆରଟିପିସିଆର ସ୍ୱାବ ନମୂନାକୁ ଟେଷ୍ଟିଂ ନିମନ୍ତେ ବ୍ରହ୍ମପୁରକୁ ପଠାଯାଇଛି। ଏହାର ୩ଦିନ ପରେ ରିପୋର୍ଟ ଆସିଲେ ତଦାନୁଯାୟୀ ଚିହ୍ନଟ ହୋଇଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରି ଔଷଧ ବିତରଣ କରାଯିବ ବୋଲି ସୂଚନା ମିଳିଛି। ଆଜିର ଏହି ଶିବିରରେ ଯେଉଁମାନେ ସ୍ୱାବ୍ ଟେଷ୍ଟିଂ କରିଥିଲେ ଜନସଚେତନତା ସୃଷ୍ଟି କରାଯାଇ ମାସ୍କ ବ୍ୟବହାର କରିବା, ହାତକୁ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ବିଷୟ ନେଇ ଡାକ୍ତର ଶ୍ରୀ ମହାପାତ୍ର ଲୋକମାନଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ଲାକଣା ଗ୍ରାମ ପଂଚାୟତର ପଂଚାୟତ ନିର୍ବାହୀ ଅଧିକାରୀ (ପିଇଓ)ହରିଶ୍ଚଚନ୍ଦ୍ର ପାତ୍ର ଉପସ୍ଥିତ ରହି ସଂପୂର୍ଣ୍ଣ ସହଯୋଗ କରିଥିଲେ। ସେହିପରି ଗେଟିପଡା ଗ୍ରାମର ଯୁବଗୋଷ୍ଠୀ, ଆଶା, ଅଙ୍ଗନବାଡିକର୍ମୀମାନେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରାଇ ଶିବିରକୁ ଆସିବା ପାଇଁ ଡକାଇଥିଲେ। ତତସହିତ ଆଜିର ଏହି କାର୍ଯ୍ୟକ୍ରମକୁ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି ପରିଦର୍ଶନ କରିବା ସହ କାର୍ଲାକଣା ଗ୍ରାମରେ ଅନୁଷ୍ଠିତ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ଗସ୍ତ କରି ଅନୁଧ୍ୟାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.