ରବି ଧାନ ସଂଗ୍ରହରେ ଅବ୍ୟବସ୍ଥା: ସି.ଏସ.ଓ.ଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଲେ ସଦର ବ୍ଲକର ଚାଷୀ

ନୂଆପଡା: ନୂଆପଡା ଜିଲ୍ଲାରେ ରବି ଧାନ ସଂଗ୍ରହକୁ ନେଇ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଜିକୁ ୪ ଦିନ ହେଲାଣି ମଣ୍ଡି ଖୋଲା ଯାଇଥିଲେ ମଧ୍ୟ କୌଣସି ଚାଷୀଙ୍କୁ ଏଯାଏଁ ଟୋକାନ ଦିଆ ଯାଇନାହିଁ। ଯେଉଁଥି ପାଇଁ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛି। କେତେକ ମଣ୍ଡିରେ ଚାଷୀ ଧାନ ବିକ୍ରି କରିବା ପାଇଁ ଧାନ ଜମା କରିଥିବା ବେଳେ ବିଭାଗୀୟ ଅଧିକାରୀ ଓ ମିଲର୍ସ ଆସୁ ନ ଥିବାରୁ ଧାନ ସଂଗ୍ରହ ହୋଇ ପାରୁ ନାହିଁ। ଏଭଳି ସ୍ଥିତିରେ ଆଜି ସଦର ବ୍ଲକ ଚାଷୀ ମାନେ ସି.ଏସ.ଓ. ଅଫିସକୁ ଆସି ନିଜର ସମସ୍ୟା ଜଣାଇଥିଲେ।

ସଦର ବ୍ଲକ ସାରବଙ୍ଗ, ଧରମବନ୍ଧା, ବେଲଟୁକୁରି, କୁଳିଆବନ୍ଧା ଭଳି ଅନେକ ମଣ୍ଡିରେ ଧାନ ପଡି ରହିଥିଲେ ସୁଦ୍ଧା ଧାନ ସଂଗ୍ରହର ବ୍ୟବସ୍ଥା ଏ ଯାଏଁ କରା ଯାଇ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ତେବେ ଏହାର ପ୍ରତିବାଦରେ ବିଜେଡିର ବରିଷ୍ଠ ନେତା ସିତୁ ବୋଧଙ୍କରଙ୍କ ନେତୃତ୍ୱରେ ଚାଷୀ ମାନେ ସି.ଏସ.ଓ. ଅଫିସକୁ ଆସିଥିଲେ। ସି.ଏସ.ଓ.ଙ୍କ ଅନୁପସ୍ଥିତିରେ ଏ.ସି.ଏସ.ଓ. ଥଣ୍ଡୁରାମ ନାୟକଙ୍କୁ ଚାଷୀ କୁଳ ନିଜ ସମସ୍ୟା ଜଣାଇଥିଲେ। ଏ.ସି.ଏସ.ଓ. ଶ୍ରୀ ନାୟକ ଧାନ ସଂଗ୍ରହ ପ୍ରକ୍ରିୟା ଖୁବ ଶୀଘ୍ର ସ୍ୱାଭାବିକ ହୋଇଯିବ ବୋଲି ପ୍ରତିଶୃତି ଦେଇଥିଲେ। ତେବେ ତୁରନ୍ତ ଚାଷୀଙ୍କ ଧାନ ସଂଗ୍ରହ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ ଯୁବ ନେତା ପପ୍ପୁ ସ୍ୱାଇଁ, ଚାଷୀ ରାଜେନ୍ଦ୍ର ପଣ୍ଡା, ରାମ ଚରଣ ସାହୁ, ଯୋଗେଶ ସାହୁ ପ୍ରମୁଖ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.