ମଶାଣିବନ୍ଧ-ବୁଢିପଦର ମୁଖ୍ୟମନ୍ତ୍ରୀ ସଡକ ନିର୍ମାଣରେ ଅନିୟମିତତା ପ୍ରସଙ୍ଗ: ଆଳୁ ଖୋଳୁ ଖୋଳୁ ମହାଦେବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ ଅନ୍ତର୍ଗତ ମଶାଣିବନ୍ଧ ତାରିଣୀ ଛକ ଠାରୁ ନର୍ଲା ବ୍ଲକ ବୁଢିପଦର ପର୍ଯ୍ୟନ୍ତ ନିର୍ମାଣଧୀନ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଛି । ଏନେଇ ଓଡ଼ିଆ ବାର୍ତ୍ତା ସମେତ ଅନେକ ଗଣମାଧ୍ୟମରେ ଖବର ପ୍ରକାଶିତ ହେଉଛି । ଏହାସତ୍ତ୍ୱେ ମଧ୍ୟ ସଂପୃକ୍ତ ବିଭାଗ ଚେତୁ ନଥିବାରୁ ଅଞ୍ଚଳବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ ଜନସାଧାରଣ ଜାଣିବାରେ ଏହି କାର୍ଯ୍ୟର ଠିକା ଟିଟିଲାଗଡ଼ର ବିନୋଦ ଅଗ୍ରୱାଲ ପାଇଛନ୍ତି ଓ ତାଙ୍କର ମେଟ୍ ମୁନସୀଙ୍କ ମାଧ୍ଯମରେ ଚାଲିଛି କାମ । କିନ୍ତୁ ପ୍ରକୃତ କଥା ଭିନ୍ନ । ବିନୋଦ ଅଗ୍ରୱାଲ ଏହି ସଡ଼କ କାମର ଅସଲ ଠିକାଦାର ନୁହନ୍ତି, ପେଟି କଣ୍ଟ୍ରାକଟର । ଶ୍ରୀ ଗଣେଶ କଂଷ୍ଟ୍ରକ୍ସନ ନାମକ ଏକ ସଂସ୍ଥା ପାଇଛି ଏହି ମୁଖ୍ୟମନ୍ତ୍ରୀ ସଡକର ଠିକା । ଏପଟେ ସୂଚନା ଫଳକ ଏପରି ଏକ ସ୍ଥାନରେ ଲାଗିଛି ଯେଉଁଠି ସହଜରେ ସାଧାରଣ ଜନତାଙ୍କ ଦୃଷ୍ଟି ପଡିପାରେ ନାହିଁ । ୭.୨ କିମି ପରିମିତ ଏହି ସଡକ ପାଇଁ ୨୯୨.୪୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ରାସ୍ତା ନିର୍ମାଣରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିଲେ ଏହି ଖବର ପ୍ରକାଶନ ପରେ ଶିଶୁ ଶ୍ରମିକ ମାନଙ୍କୁ ଆଉ କାମରେ ଲଗାଯାଉନଥିବା ଦେଖାଯାଉଛି । ତେବେ ପୋଲ ନିର୍ମାଣ କାର୍ଯ୍ୟ ପୂର୍ବପରି କମ ସିମେଣ୍ଟ ଓ ଅଧିକ ବାଲି ଦେଇ ନିମ୍ନମାନର କାମ ଚାଲିଥିବା ଅଭିଯୋଗ ହେଉଛି । ଶ୍ରୀ ଗଣେଶ କଂଷ୍ଟ୍ରକ୍ସନ ଠାରୁ ପେଟି ଠିକା କରୁଥିବା ବିନୋଦ ଅଗ୍ରୱାଲ ରାସ୍ତାରେ ମାଟି ପକାଇବା ପାଇଁ ପୁଣି କେତେକ ଲୋକଙ୍କୁ ଠିକା ଦେଇଥିବା ଅଭିଯୋଗ ହେଉଛି । ଏମିତିରେ କାମର ସ୍ଥାୟୀତ୍ବ ପ୍ରତି ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଜନ ଅସନ୍ତୋଷ ବଢିବାରେ ଲାଗିଛି । ମାଟି କାମରେ ବ୍ୟାପକ ଅନିୟମିତତା ଓ ସରକାରୀ ଜମିରୁ ମଧ୍ୟ ମାଟି ଉଠି ରାସ୍ତାରେ ପଡିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାସହ ଆଉ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ବୁଢିପଦର ଚଞ୍ଚରାପଡାର ମାନସିକ ଅନଗ୍ରସର ବାବୁଲାଲ ଭୋଇ, ବିଧବା ମହିଳା ଡୁମେର ପୋଢ, ଦିନ ମଜୁରିଆ ଧର୍ମୁ ପୋଢ ଓ ହରି ନାଏକଙ୍କ ଜାଗାରେ ଜୋର ଜବରଦସ୍ତ ମାଟି ପକାଯାଇଛି । ଏମାନଙ୍କ ସ୍ଥାନରେ ମାଟି ନ ପକାଇ ସାମ୍ନାରେ ଥିବା ରାସ୍ତା ପ୍ଲଟ ଓ ସରକାରୀ ଜମିରେ ମାଟି ପଡି ରାସ୍ତା ନିର୍ମାଣ ହେବାକଥା କିନ୍ତୁ ଏମାନେ ନିରିହ ବ୍ୟକ୍ତି ବିଶେଷ ହୋଇଥିବାରୁ ଉଦ୍ଦେଶ୍ୟମୂଳକ ଭାବେ ଏମାନଙ୍କ ଜାଗାରେ ମାଟି ପକାଯାଇଥିବା ଅଭିଯୋଗ ଆସିଛି । ଠିକାଦାର କିମ୍ବା ସରକାରୀ ବାବୁ ମାନଙ୍କ ଦେଖା ଦର୍ଶନ ମିଳୁନଥିବାରୁ ଏହି ନିରୀହ ଲୋକ ସେମାନଙ୍କ ଦୁଃଖ ମେଟ୍ ମୁନସୀଙ୍କୁ ଜଣାଉଛନ୍ତି କିନ୍ତୁ କିଛି ସୁଫଳ ମିଳିପାରିନାହିଁ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ପ୍ରଥମେ ଡିମାରକେସନ କରି ଠିକା ସଂସ୍ଥା କାମ ଆରମ୍ଭ କରିବା କଥା କିନ୍ତୁ ତାହା ହେଲାନାହିଁ । ରାସ୍ତା ପାଇଁ ପୂର୍ବରୁ ଜାଗା ରହିଥିଲେ ମଧ୍ୟ ଡିମାରକେସନ ନହୋଇଥିବା କାରଣରୁ ନିଜ ମର୍ଜିରେ ଲୋକଙ୍କ ଜମି ଉପରେ ଜୋର ଜବରଦସ୍ତି ମାଟି ପକାଇ ରାସ୍ତା ତିଆରି ଚାଲିଛି । ଏଥିରେ ସରକାରୀ ନିୟମ କାମୁନକୁ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । ପୁରୁଣା ରାସ୍ତାକୁ ନଖୋଳି ତା’ ଉପରେ ମାଟି ପକାଇ ନିର୍ମାଣ ଆରମ୍ଭ ହେଲା । କେଉଁଠି ଚିକିଟା ମାଟି ପଡିଲାତ କେଉଁଠି ଲାଭଖୋର ମନୋବୃତ୍ତି ରଖି ରାସ୍ତା ପାଖ ଜମିକୁ ୭/୮ ଫୁଟ ଖୋଲି ଦିଆଗଲା । ଏତିକିରେ କଥା ସରିନାହିଁ ତହସିଲଦାରଙ୍କୁ କୈାଣସି ସୂଚନା ନଦେଇ ସରକାରୀ ଜମିରୁ ମଧ୍ୟ ମାଟି ଉଠାଇ ରାସ୍ତା ନିର୍ମାଣ ଚାଲିଛି । ତେଣୁ ଏସବୁ ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.