ବିଚ୍ଛିନ୍ନାଞ୍ଚଳରେ ‘ସବୁ କଳାକାର ଏକ ପରିବାର’ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଶ୍ରୀକାକୁଲମ: କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ପବିତ୍ର ରାମ ନବମୀ ଯାତ୍ରା ଅବସରରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ‘ସବୁ କଳାକାର ଏକ ପରିବାର’ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀକାକୁଲମ ମଣ୍ଡଳ ସାପା ଗ୍ରାମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସର୍ବଶ୍ରୀ ମାଗତା ବେହେରା, ମଦନମୋହନ ବେହେରା, ଏଲ୍. ରାମାରାଓ, ଅଲେଖ ବେହେରା, କୁରା ଗୌଡ, ନୀଳକଣ୍ଠ ନାଲ୍ଲା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଆ କଳା-ସଂସ୍କୃତିର ଉତ୍କର୍ଷମୟ ଗାଥା ସମେତ ସବୁ କଳାକାର ଏକ ପରିବାର ଭାବନା ଓଡ଼ିଆଙ୍କ ମହନୀୟତାର ପରିଚାୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗ୍ରାମୀଣ ନାଟ୍ୟ ଗୁରୁ ସଞ୍ଜୟ କୁମାର ବିଶୋୟୀ, ସଙ୍ଗୀତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସ୍ୱାଇଁ, ଶିକ୍ଷାବିତ୍ ତଥା ବରିଷ୍ଠ ଅଭିନେତା ନୀଳକଣ୍ଠ ନାଲ୍ଲା ଏବଂ ନାଟ୍ୟ ସଂଗଠକ ବିଭୂତି ଭୂଷଣ ସ୍ୱାଇଁଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ମହାସଚିବ ନୃତ୍ୟାତାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବାଗତ ଭାଷଣ ଓ ପରିଶେଷରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଗଞ୍ଜାମ, ବଳରାମପୁର ‘ଭଗବାନ ଭରସା ଯୁବ ନାଟ୍ୟ ସଂସଦ’ର କଳାକାରମାନେ ପୌରାଣିକ ନାଟକ ‘ବୀର ଶିଶୁ ଅଭିମନ୍ୟୁ’ ପରିବେଷଣ କରିଥିଲେ । ବିଚ୍ଛିନ୍ନାଞ୍ଚଳର ବହୁ କଳାକାର ଓ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.