ନର୍ଲା ବ୍ଲକ ବିଜେପି ପକ୍ଷରୁ ଧନ୍ୟବାଦ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଧର୍ମଶାଳା ଠାରେ ଆଜି (ଗୁରୁବାର) ଭାରତୀୟ ଜନତା ପାର୍ଟି ନର୍ଲା ବ୍ଲକ ପକ୍ଷରୁ ଧନ୍ୟବାଦ ସମାରୋହ ଆୟୋଜିତ ହୋଇଯାଇଛି । ନର୍ଲାରୋଡ ଏବଂ ରୁପ୍ରାରୋଡ ଠାରେ ପୁନଃ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ରେଳ ବିଭାଗ ପକ୍ଷରୁ ଚିଠି ଆସିବା ପରେ ଏହି ସମାରୋହର ଆୟୋଜନ କରିଛି ନର୍ଲା ବିଜେପି । ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ନର୍ଲା ବିଜେପି ପକ୍ଷରୁ କହିବା ସହ ଏଥିପାଇଁ କେନ୍ଦ୍ର ସରକାର, ରେଳ ମନ୍ତ୍ରଣାଳୟ ଏବଂ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ତଥା କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ଏହି ସଭାର ଅଧ୍ୟକ୍ଷତା କରିଥିବାବେଳେ ବିଜେପି ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ, ସାଂସଦଙ୍କ କେସିଙ୍ଗା ବ୍ଲକ ପ୍ରତିନିଧି ଶଶାଙ୍କ ଶେଖର ମହଲା, କର୍ଲାମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର, ମ.ରାମପୁର ବ୍ଲକ ସାଂସଦ ପ୍ରତିନିଧି ଖୁସିରାମ ସାହୁ, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ, ନର୍ଲା ମଣ୍ଡଳ ଉପ ସଭାପତି ସଞ୍ଜୟ କୁମାର ନାଏକ, ସୁରେଶ ଚନ୍ଦ୍ର ସାହୁ, ଶ୍ରୀମତୀ ସଞ୍ଜୁ ସାହୁ, ଲକ୍ଷ୍ମଣ ଦୀପ, ଅଭୟ ନାଏକ, ଦେବରାଜ ନାଏକ, ନବୀନ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, କୋଭିଡ ସମୟରୁ ନର୍ଲାରୋଡ ଓ ରୁପ୍ରାରୋଡରେ ଏକ୍ସପ୍ରେସ ଟ୍ରେନ ରହଣୀ ବନ୍ଦ ହୋଇଯାଇଥିଲା । ତେବେ ସ୍ଥିତି ସ୍ବାଭାବିକ ହେବାପରେ ଏବଂ ବାରମ୍ବାର ଦାବୀ ପରେ ମଧ୍ୟ ଏହି ଦୁଇଟି ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ହେଉନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏଥିପାଇଁ ଅପ୍ରେଲ ୧୦ରେ ରେଳଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ରୁପ୍ରାରୋଡରେ ରେଳରୋକ ଆନ୍ଦୋଳନ ମଧ୍ୟ ହୋଇଥିଲା ‌। ତେବେ ରେଳ କତୃପକ୍ଷ ଓ ପ୍ରଶାସନ ପ୍ରତିଶ୍ରୁତି ଦେବାପରେ ଅପ୍ରେଲ ୧୧ରେ ନର୍ଲାରୋଡରେ ହେବାକୁ ଥିବା ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ ନର୍ଲା ରେଳଯାତ୍ରୀ ସଂଘ । ଏହାର ମାସେ ମଧ୍ୟରେ ପ୍ରତିଶ୍ରୁତି ପାଳନ କରିଛି ରେଳ ବିଭାଗ ‌। ନର୍ଲାରୋଡରେ ୧୨୮୪୩/୧୨୮୪୪ ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ୧୮୫୧୭/୧୮୫୧୮ କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ଏବଂ ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ରହଣୀ କରିବ । ସେହିଭଳି ୧୮୫୧୭/୧୮୫୧୮ କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ଏବଂ ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ରୁପ୍ରାରୋଡରେ ଅଟକିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.