✍🏾ସୁଧାଂଶୁ ଶେଖର ପାତ୍ର
କାରୁଣ୍ଡ ବନର ଫାଙ୍କେ
ଆଠ ଅଠର ବାଙ୍କର ଦାଢ଼େ
ଭୁମିଖଣ୍ଡ ଏଇ କାହିଁ କେଉଁ ଆଦିମ କାଳରୁ
ବିଶ୍ବ ଭୂଗୋଳର ତିଳ ଚିହ୍ନଟିଏ :
କେତେବେଳେ ଶାନ୍ତ-କାନ୍ତ
କମନୀୟ ଚିତ୍ରିତ କଳସ
ଆଉ କେତେବେଳେ ପୁଣି
ଭୀମକାନ୍ତ ଭୈରବର ପରମ ସ୍ତାବକ ।
ଇନ୍ଦ୍ରାବତୀ,ହାତୀ ଆଦି ଅସଂଖ୍ୟ ନିର୍ଝର
କଳ କଳ କାବ୍ୟର ଆଧାର ଏ ମାଟି ବୁକୁରେ
ସେ କଥା କାହାର ସ୍ମରଣରେ ଅଛି?
ପ୍ରତିଟି ପାହାଡ଼ ଗର୍ଭେ ରତ୍ନମୟ କୋଠା
ପ୍ରଯତ୍ନ ଅଭାବୁ ତେଜ୍ୟ ଭୂତକୋଠି :
ହାୟ ଇଏ କି ଦୁର୍ଦ୍ଦଶା
ବେଳେ ବେଳେ ଏଠିକାର ଅଧିବାସୀ
ଭୋକ ବିକଳରେ କେତେକ ସମ୍ବାଦ ପୃଷ୍ଠାରେ
କାଙ୍ଗାଳ ସାଜନ୍ତି ।
ଘୁମ୍ ଘୁମ୍ ଘୁମୁରାର ନାଦ
ବୀର ବାଦ୍ୟ ରଣାଙ୍ଗନେ
ଜାତୀୟ ସଂସ୍କୃତିକୁ ଅନବଦ୍ୟ ଦାନ-
ଏ ସମ୍ପର୍କରେ ଆଜି ବି
ଶହୀଦ ରିଣ୍ଡୋ ମାଝୀଙ୍କର ଉର୍ଲାଦାନୀ
ଶୁଣାଣି କରୁଛି ।
ଅକ୍ଷୟ ଭଣ୍ଡାର କେବେ କ’ଣ
ଧ୍ୱସ୍ତ ହୋଇପାରେ?
ସେଇ ପରା କାଳର ଉର୍ଦ୍ଧ୍ବରେ କଳାହାଣ୍ଡି
ତା ସ୍ବରୂପ ବର୍ଣ୍ଣିବାକୁ କିଏ ସାମରଥ !
ସେଇ ମାଟି ସେଇ ମାଆ ଚିର ବନ୍ଦନୀୟା
କୋଟି କୋଟି ପ୍ରଣତି ତାହାରେ ।
(ସୌଜନ୍ୟ – ଆକାଶ ବାଣୀ ଭବାନୀପାଟଣା)