ଦୁଇ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ୧୫/୬ ବୁଧବାର ଅପରାହ୍ନରେ ଲାଞ୍ଜିଗଡ଼ ବ୍ଲକର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି। ଲୋକେ ଗ୍ରୀଷ୍ମତାତିରୁ ସାମାନ୍ୟ ତ୍ରାହି ପାଇଛନ୍ତି। ତେବେ ପ୍ରବଳ ବର୍ଷା ଯୋଗୁଁ ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ଠାରୁ ବିଜେପୁର ସଂଯୋଗ କରୁଥିବା ରାସ୍ତାର ସାପଚଞ୍ଚରା ନିକଟରେ ଥିବା ଏକ କଲଭର୍ଟରେ ଦୁଇ ଫୁଟ ଉଚ୍ଚର ପାଣି ପ୍ରବାହିତ ହେବାରୁ ଯାତାୟାତ ବେଶ ସମୟ ଯାଏଁ ବାଧାପ୍ରାପ୍ତ ହୋଇଥିଲା। ଦିର୍ଘ ଦୁଇ ଘଣ୍ଟା ଯାଏଁ ଏହି ରାସ୍ତାରେ ପାଣି ଜମି ରହିବାରୁ ଲୋକେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି ଚାରିଚକିଆ ଦୁଇଚକିଆ ଯାନ ସବୁ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ସୂଚନାଯୋଗ୍ୟ ବିଜେପୁର ଠାରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ଏହି ରାସ୍ତା ଉଭୟ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ତଥା ରାୟଗଡ଼ା ଜିଲ୍ଲାର କୈଳ୍ୟାଣିସିଂପୁର ବ୍ଲକକୁ ସଂଯୋଗ କରିବା ପାଇଁ ଏକ ମୁଖ୍ୟ ରାସ୍ତା ଅଟେ। ଏହି ରାସ୍ତାର ସାପଚଞ୍ଚରା ନିକଟସ୍ଥ କଲଭଟରେ ବର୍ଷା ପାଣି ବହିବା ସହିତ ଦୁଇଫୁଟ ଉଚ୍ଚର ପାଣି ପ୍ରବାହିତ ହେବା ଯୋଗୁଁ ଲୋକେ ଆଜି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଉଛନ୍ତି।