ରୁପ୍ରାରୋଡ ଶ୍ରୀଗୁଣ୍ଡିଚା ଘରେ ଚତୁର୍ଦ୍ଧାମୂର୍ତ୍ତି

ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଦଶମୀରେ ବାହୁଡ଼ା ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୁରୀ ଶ୍ରୀମନ୍ଦିରରେ ଆୟୋଜିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ରଥଯାତ୍ରା ମୁଖ୍ୟ ପର୍ବ ଭାବେ ପାଳିତ ହୋଇଥାଏ। ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ବର୍ଷକୁ ଥରେ ମହାପ୍ରଭୁ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ଯାଇଥାନ୍ତି। ଏହା ଶ୍ରୀଗୁଣ୍ଡିଚା ଯାତ୍ରା ନାମରେ ଜଗତ ବିଖ୍ୟାତ। ଏହି ନବଦିନାତ୍ମକ ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ଏହି କ୍ରମରେ ଓଡ଼ିଶାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପାରମ୍ପରିକ ବିଧିବିଧାନ ଅନୁକ୍ରମେ ମହାପ୍ରଭୁଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ମଧ୍ୟ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀଗୁଣ୍ଡିଚା ଘରେ ଅବସ୍ଥାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁମାନେ। ପୁରୀରୁ ଆସିଥିବା ପଣ୍ଡିତ ନିଗମାନନ୍ଦ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କ ଦ୍ଵାରା ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଭୋଗଲାଗି ହେଉଛି। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ମୁଖ୍ୟ ଉଦ୍ଦ୍ୟୋକ୍ତା ସ୍ବର୍ଗତ ଡ଼. ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲ, ରାଜେଶ କୁମାର ଅଗ୍ରୱାଲ, ସୁମିତ କୁମାର ଅଗ୍ରୱାଲଙ୍କ ସମେତ ପ୍ରଦୀପ ଅଗ୍ରଓ୍ବାଲ ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ତତ୍ବାବଧାନରେ ସମସ୍ତ ପ୍ରକାର ନୀତିକାନ୍ତି ସଂପାଦିତ ହେଉଛି। ହେରାପଞ୍ଚମୀ ନୀତି ପାରମ୍ପାରିକ ବିଧାନ ଅନୁସାରେ ଅନୁଷ୍ଠିତ ହୋଇଯାଇଥିବାବେଳେ ନବମୀ ତିଥିରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନୃସିଂହ ବେଶ ଏବଂ ଶନିବାର ଦଶମୀ ତିଥିରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବବୋଲି ସୂଚନା ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.