ଗୁରୁବ୍ରହ୍ମା ସମ୍ମାନ ୨୦୨୨ରେ ସମ୍ମାନିତ ହେଲେ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ରାୟଗଡ଼ା ଜିଲ୍ଲାର ପିତାମହଲ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ନନ୍ଦିଘୋଷ, ସକାଳ ଓ ସିଭିରମଣ ଗ୍ଲୋବାଲ ୟୁନିଭରସିଟି ଶିକ୍ଷାନୁଷ୍ଠାନ ପକ୍ଷରୁ ଗୁରୁ ବ୍ରହ୍ମା ସମ୍ମାନ ୨୦୨୨ରେ ସମ୍ମାନିତ କରାଯାଇଛି । ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶୀ ଲାଲ ସ୍ମାରକୀ ଫଳକ , ଉତ୍ତରୀୟ ସହ ୫୧,୦୦୦/-ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି ।


ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ସାହୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ପିଲାଙ୍କ ସର୍ବାଙ୍ଗୀନ ବିକାଶ ଲାଗି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ବିଦ୍ୟାଳୟ ସ୍ତରରେ ନୂତନ ଶୈକ୍ଷିକ ପରୀକ୍ଷଣ କରି ସେ ବେଶ ସଫଳତା ହାସଲ କରିଛନ୍ତି । ପିଲାଙ୍କ ଲାଗି ସେ କାର୍ଯ୍ୟକାରୀ କରିଥିବା ବହୁ ଅଭିନବ କାର୍ଯ୍ୟକ୍ରମକୁ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥା ବେଶ ପ୍ରଶଂସା କରିଛନ୍ତି । ସେ ଏକାଧାରରେ ଜଣେ ଆଦର୍ଶ ଶିକ୍ଷକ ସହ ସୁସାହିତ୍ୟିକ, ଗୀତିକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ, କ୍ଷୁଦ୍ର ଚଳଚିତ୍ର ନିର୍ଦ୍ଦେଶକ ସର୍ବୋପରି ଆଦିବାସୀ ସଂସ୍କୃତି ଗବେଷକ । ସେ ବର୍ତମାନ ସୁଦ୍ଧା ୧୪ଟି ପୁସ୍ତକ ରଚନା କରିଥିବାବେଳେ ଜଣେ ପ୍ରସିଦ୍ଧ ସ୍ତମ୍ଭକାର ଓ କଥାକାର ଭାବେ ସାହିତ୍ୟ ଜଗତରେ ପରିଚିତ । ଏହାଛଡା ସେ ଅନେକ ଗରୀବ ପିଲାଙ୍କ ଉଚ୍ଚ ଶିକ୍ଷା ପଢ଼ାଇବା ଲାଗି ସମସ୍ତ ପ୍ରକାର ସହଯୋଗ କରି ଆସୁଛନ୍ତି ।

ଏହି ପୁରସ୍କାରର ଅର୍ଥ ରାଶିର ସୁଧକୁ ଗରିବ ପିଲାଙ୍କ ପାଠ ପଢ଼ାରେ ବ୍ୟୟ କରାଯିବ ବୋଲି ଦ୍ବିତୀଚନ୍ଦ୍ର କହିଛନ୍ତି । ନନ୍ଦିଘୋଷ ଓ ସକାଳ ପକ୍ଷରୁ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନୂଆ ପ୍ରୟୋଗକୁ ନେଇ ଶିକ୍ଷକମାନଙ୍କ ଠାରୁ ଆବେଦନ କରାଯାଇଥିଲା । ରାଜ୍ୟରୁ ଆସିଥିବା ଶତାଧିକ ଆବେଦନରୁ ଏକ ସ୍ଵତନ୍ତ୍ର ଜୁରୀ ଜରିଆରେ ମୂଲ୍ୟାୟନ କରାଯାଇ ଶ୍ରେଷ୍ଠ ୧୬ଜଣ ଶିକ୍ଷକଙ୍କୁ ଚୟନ କରାଯାଇ ସମ୍ମାନିତ କରାଯାଇଛି ।


ଏହି ସମାରୋହ ରେ ମହାମହିମ ରାଜ୍ୟପାଳଙ୍କ ସମେତ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟ ମିଶ୍ର, ସିଭି ରମଣ ଗ୍ଲାବଲ ୟୁନିଭରସିଟର ମୁଖ୍ୟ ଓ ନନ୍ଦିଘୋଷ ଟିଭିର ସିଇଓ ପ୍ରମୁଖ ମଞ୍ଚ।ସିନ ଥିଲେ । ଏହି ସମ୍ମାନରେ ସମ୍ମାନିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.