୮୦ ବର୍ଷୀୟ ମଲ୍ଲିକାର୍ଜୁନ ଖଡ଼ଗେ ବର୍ତ୍ତମାନ ଦେଶର ସର୍ବ ପୁରାତନ ଦଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ । ତାଙ୍କ ସାମନାରେ ୨୦୨୪ ନିର୍ବାଚନ ବଡ଼ ଯୁଦ୍ଧ ଥିବାବେଳେ ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନ ମଧ୍ୟ ବଡ଼ ଚ୍ୟାଲେଂଜ ରହିଛି । ବିଜେପିକୁ ଟକ୍କର ଦେବା ପାଇଁ ଖଡ଼ଗେ ସମର୍ଥ ହେବେ କି ? କଂଗ୍ରେସ ଉପରେ ପରିବାରବାଦର ସମାଲୋଚନାକୁ ଧୋଇପାରିବେ କି ଖଡ଼ଗେ ? ନିଜେ କଡ଼ା ନିଷ୍ପତ୍ତି ନେଇପାରିବେ କି ? କାରଣ ଦେଶରେ ଏବେ ବିଜେପିର ବଡ଼ ଚେହେରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କୁ ଟକ୍କର ଦେବାଭଳି କ୍ଷମତା କେବଳ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କର ଥିବା କଂଗ୍ରେସ ନେତା ଏବଂ କର୍ମୀ ଖୋଲାଖୋଲି କହୁଛନ୍ତି । ଏପରିକି ସଭାପତି ନିର୍ବାଚନ ପୂର୍ବରୁ ଅନେକ ରାଜ୍ୟର ପିସିସି ରାହୁଲ ଗାନ୍ଧୀଙ୍କୁ ସଭାପତି କରିବା ପାଇଁ ପ୍ରସ୍ତାବ ପାସ କରିସାରିଥିଲେ । ତେଣୁ କହିବାକୁ ଗଲେ ଦଳରେ ମଧ୍ୟ ଖଡ଼ଗେଙ୍କର ଗାନ୍ଧୀ ପରିବାର ଭଳି ଲୋକପ୍ରିୟତା ନାହିଁ ।
୨୦୧୯ ଲୋକସଭା ନିର୍ବାଚନ ହାରିବା ପରେ କଂଗ୍ରେସର ଯୁବ ବର୍ଗ ଏବେ କଂଗ୍ରେସ ସହ ନାହାଁନ୍ତି । ସେମାନେ ଏବେ ବିକ୍ଷିପ୍ତ ଅବସ୍ତାରେ ବିଜେପି ହେଉ କି ଟିଏମସି ହେଉ, ବିଜେଡି ହେଉ କି ଆରଜେଡି, ଜେଡିୟୁ, ଆପ, ଡିଏମକେ ଏପରି ଅନେକ ଆଞ୍ଚଳିକ ଦଳରେ ସାମିଲ ହୋଇଯାଇଛନ୍ତି । ୫୨ ପ୍ରତିଶତ ଯୁବ ଭୋଟର ଏବେ କଂଗ୍ରେସରେ ନିଜ ଭବିଷ୍ୟତ ଦେଖୁନଥିବାରୁ ଅନ୍ୟ ଦଳକୁ ଚାଲିଯାଇଥିବା ଜାତୀୟସ୍ତରରେ ସର୍ଭେରେ ରିପୋର୍ଟ କହୁଛି । ଉତ୍ତର ଭାରତର ଯୁବ ବର୍ଗ ଭୋଟର ବିଜେପି ପଛରେ ରହିଛି । ଉତ୍ତର ପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ରାଜସ୍ତାନ, ହିମାଚଳ, ଉତ୍ତରାଖଣ୍ଡ, ପଞ୍ଜାବରେ କଂଗ୍ରେସ ଅବସ୍ଥା ଦୟନୀୟ ସ୍ଥିତିରେ ରହିଛି । ରାଜସ୍ତାନରେ କଂଗ୍ରେସରେ ଯେପରି ଅନ୍ତର୍ଦ୍ବନ୍ଦ୍ବ ଚାଲିଛି କେତେବେଳେ ସେଠି କ’ଣ ହେବ ତାହା କହିହେବ ନାହିଁ ।
ସବୁଠୁ ବଡ଼ କଥା ହେଲା କଂଗ୍ରେସ ଉଦୟପୁର ସଂକଳ୍ପକୁ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହା ହେଉଛି ଦଳରେ ସଂସ୍କାର । ତେବେ ଖଡ଼ଗେଙ୍କ ଆଗରେ ଏହାକୁ ଲାଗୁ କରିବା ସହଜ ନୁହେଁ । କାରଣ ଏଥିରେ ଯୁବ ବର୍ଗଙ୍କୁ ଦାୟିତ୍ବ ଦେବା ସହ ବୟସ୍କଙ୍କୁ ମାର୍ଗଦର୍ଶକ ମଣ୍ଡଳିରେ ରଖିବାକୁ କୁହାଯାଇଛି । ଏଭଳି ସମୟରେ କ’ଣ ସୋନିଆ ଗାନ୍ଧୀଙ୍କ ଭଳି ଅନେକ ବରିଷ୍ଠ ନେତାଙ୍କୁ ମାର୍ଗଦର୍ଶକ ମଣ୍ଡଳିରେ ରଖିପାରିବେ ଖଡ଼ଗେ । ଯଦି ବି ରଖନ୍ତି ତାହା କଣ ଦଳରେ ଗ୍ରହଣୀୟ ହୋଇପାରିବ । ଏହା ବାଦ ଆଉ ଏକ କଥା ହେଲା ସଭାପତିଙ୍କ ଉପରେ ସତରେ କ’ଣ ଗାନ୍ଧୀ ପରିବାରର ଦଖଲ ରହିବ ନାହିଁ । ଏହା ମଧ୍ୟ ଗ୍ରହଣୀୟ ହେବନାହିଁ । କାରଣ ସୀତାରାମ କେଶରୀଙ୍କ ସମୟରେ ମଧ୍ୟ ଗାନ୍ଧୀ ପରିବାରର ଦଖଲ ତାଙ୍କ ଉପରେ ଥିଲା । ଆଉ ଖଡ଼ଗେଙ୍କ ସମୟରେ ମଧ୍ୟ ଗାନ୍ଧୀ ପରିବାରର ଦଖଲ ରହିପାରେ ।
ଆଗକୁ ଆସୁଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ । ଏ ଦୁଇଟି ବିଧାନସଭା ନିର୍ବାଚନରେ କଂଗ୍ରେସ ମଇଦାନରେ ନଥିବା କୁହାଯାଉଛି । ରାହୁଲ ଗାନ୍ଧୀଙ୍କ ସହ ବରିଷ୍ଠ ନେତାମାନେ ଏଭଳି ସମୟରେ ଭାରତ ଯୋଡୋ ଯାତ୍ରାରେ ଅଛନ୍ତି । ଗାନ୍ଧୀ ପରିବାରର କୈାଣସି ସଦସ୍ୟ ଏହି ନିର୍ବାଚନକୁ ନେଇ ବିଜେପି ବିପକ୍ଷରେ ଏହି ଦୁଇଟି ରାଜ୍ୟରେ ଲଢ଼େଇ ପାଇଁ ସେଭଳି ଆଖିଦୃଶିଆ ରାଲି, ସଭା କରିନାହାଁନ୍ତି । ହିମାଚଳ ପ୍ରଦେଶରେ କୈାଣସି ଦଳ ପୁନର୍ବାର ସରକାର ଗଠନ କରିବା ଦେଖାଯାଇନାହିଁ । ଦୁଇ ଦଶନ୍ଧି ଧରି ଗୁଜରାଟରେ ମଧ୍ୟ କଂଗ୍ରେସ ସରକାର ଗଠନ କରିପାରୁନାହିଁ । କିନ୍ତୁ ସେଠାରେ ଆପ ରାତିଦିନ ନିର୍ବାଚନ ପ୍ରଚାରରେ ମାତିଛି । ପାଣି ବିଜୁଳି ଫ୍ରି ଦେବା ପାଇଁ କହୁଛନ୍ତି ଆପ ମୁଖ୍ୟ ଅରବିନ୍ଦ କଜରିଓ୍ବାଲ । ମୋଦିଙ୍କୁ ଟାର୍ଗେଟ କରୁଛନ୍ତି ଆପର ସବୁ ନେତା । କିନ୍ତୁ କଂଗ୍ରେସ ସେଠାରେ ବିଜେପି ସହ ଲଢ଼ୁଥିବା ଦେଖାଯାଉନାହିଁ । ତେଣୁ ଖଡ଼ଗେ ସଭାପତି ହେବା ପରେ ଗୁଜରାଟରେ କଂଗ୍ରେସ ଯେ ବଡ଼ କିଛି କରିବ ବା ସରକାର ଗଠନ କରିବ ତାହା ଭୋଟରଙ୍କ ମତିଗତିରୁ ଜଣାପଡୁନଥିବା ସର୍ଭେରୁ କୁହାଯାଉଛି । ଅବଶ୍ୟ ୫୦ ବର୍ଷ ଧରି କଂଗ୍ରେସରେ କାର୍ଯ୍ୟ କରିଥିବା ଖଡ଼ଗେଙ୍କର ରାଜନୀତିରେ ବହୁ ଅନୁଭବ ରହିଛି । କିନ୍ତୁ ଖଡ଼ଗେଙ୍କର ଏହି ଅନୁଭବ ବର୍ତ୍ତମାନର ଦୁର୍ବଳ କଂଗ୍ରେସକୁ ବଳ ଦେବ ଏବଂ ଦୁର୍ବଳ କଂଗ୍ରେସକୁ ପୁଣି ସବଳ କରିପାରିବ କି ?