ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଧାନ ଚାଷ ପରେ ଏବେ ମକା ଚାଷ ପ୍ରତି ଚାଷୀ ଆଗ୍ରହ ପ୍ରକାଶ କରିଛନ୍ତି। ହେଲେ ପ୍ରତିବର୍ଷ ମକା ଚାଷର ଉତ୍ପାଦନ ବଢିଚାଲି ଥିବାବେଳେ ସରକାରୀ ସ୍ତରରେ ମଣ୍ଡି ବ୍ୟବସ୍ଥା ନଥିବାରୁ ଦଲାଲ ହିଁ ଏକମାତ୍ର ଭରଷା ପାଲଟିଛି। ବ୍ଳକର ୨୨ଟି ପଞ୍ଚାୟତ ମଧ୍ୟରୁ କିଛି ପଞ୍ଚାୟତରେ ଜଳସେଚନ ଥିବାବେଳେ ଅଧିକାଂଶ ପଞ୍ଚାୟତ ରେ ଜଳସେଚନ ବ୍ୟବସ୍ଥା ନାହିଁ। ତେଣୁ ଚାଷିମାନେ ଧାନଚାଷ କରି ମରୁଡି ସମ୍ମୁଖିନ ହୋଇ ହତାଶ ହେବାରୁ ଶେଷରେ ମକାଚାଷକୁ ଆପଣାଇ ଚାଷ କରିଛନ୍ତି । ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ବିଭାଗ ପକ୍ଷରୁ ୫୦ ହେକ୍ଟର ଚାଷ ପାଇଁ ମକା ବିହନ ଚାଷୀଙ୍କୁ ଯୋଗାଇ ଦିଆଯାଇଥିଲା। ସରକାରୀ ସ୍ତରରେ ୧୭୯୦ ହେକ୍ଟର ଜମିରେ ମକା ଚାଷ ହୋଇଥିବା ସୂଚନା ମିଳିଛି। ଗତ ବର୍ଷ ତୁଳନାରେ ଚଳିତବର୍ଷ ବ୍ଳକର ବଡ଼ପୋଡ଼ାଗୁଡ଼ା, ଡୁଡୁକାଠେଙ୍ଗା, ଗୋତମୁଣ୍ଡା, କାଉଡୋଲା ଓ ଡହଗାଁ ପଞ୍ଚାୟତର ଚାଷୀମାନଙ୍କୁ ଶହେ ହେକ୍ଟର ଚାଷ ପାଇଁ ମକା ବିହନ ଯୋଗାଇ ଦିଆଯାଇଛି। ସରକାରୀ ସ୍ତରରେ ଚଳିତ ବର୍ଷ ୧୮୦୫ ହେକ୍ଟର ମକା ଚାଷ ହୋଇଥିବା ବେଳେ ବେସରକାରୀ ଭାବରେ ପାଖାପାଖି ୫ ହଜାର ହେକ୍ଟରରୁ ଅଧିକ ମକା ଚାଷ ହୋଇଥିବା ଅନୁମାନ କରାଯାଉଛି। ଗତ ବର୍ଷ ତୁଳନାରେ ଚଳିତବର୍ଷ ସରକାରୀ ହିସାବରେ ୧୫ ହେକ୍ଟର ମକା ଚାଷ ଅଧିକ ବଢ଼ିଥିବାବେଳେ ବେସରକାରୀ ହିସାବରେ ଢେର୍ ଅଧିକ ମକା ଉତ୍ପାଦନ ବଢିଛି। ଚଳିତ ବର୍ଷ ଚାଷ ଆରମ୍ଭରେ ଲଗାଣ ବର୍ଷା ଯୋଗୁଁ ଚାଷୀ ଠିକ୍ ସମୟରେ ମକା ଲଗେଇ ପାରିନଥିଲେ। ତେବେ ବିଲମ୍ବରେ ହେଲେବି ଚାଷୀ ଧାର କରଜ କରି ଶହ ଶହ ଏକର ଚାଷଜମିରେ ମକା ଚାଷ କରି ଭଲ ଦ୍ଵି ପଇସା ପାଇ ନିଜ ପରିବାର ପ୍ରତିପୋଷଣ କରିବା ସହ ଋଣ କରଜ ସୁଝିବା ଆଶା କରିଥିଲେ । ହେଲେ ସରକାରୀ ସ୍ତରରେ କୋକସରା ବ୍ଲକରେ ମଣ୍ଡି ବ୍ୟବସ୍ତା ନଥିବାରୁ ଏବର୍ଷ ମଧ୍ୟ ଦଲାଲ ହିଁ ଏକମାତ୍ର ଭରଷା ପାଲଟିଛି। ଚାଷୀ ମାନଙ୍କ କହିବା ଅନୁସାରେ ମକା କୁଇଣ୍ଟାଲ ପ୍ରତି ୧୪ ରୁ ୧୬ ଶହ ଟଙ୍କାରେ ଦଲାଲ୍ ମାନେ ମୁଲଚାଲ କରୁଛନ୍ତି। ଚାଷୀ ମଧ୍ୟ ସରକାରୀ ସ୍ତରରେ ବିକ୍ରୀ ବ୍ୟବସ୍ଥା ନଥିବାରୁ କୈାଣସି ଉପାୟ ନପାଇ କଷ୍ଟ ଉପାର୍ଜିତ ମକାକୁ ସାଗମାଛ ଦରରେ ବିକ୍ର କରିବାକୁ ବାଧ୍ୟ ହୋଉଛନ୍ତି। ଅନ୍ୟପଟେ ମକା ମଣ୍ଡି ପାଇଁ ଅଞ୍ଚଳର ଚାଷିମାନେ ବିଭିନ୍ନ ସମୟରେ ଦାବି କରୁଥିଲେ ହେଁ ସରକାରଙ୍କ ପକ୍ଷରୁ ମଣ୍ଡିର ବ୍ୟବସ୍ଥା କରୁ ନଥିବା ଅଭିଯୋଗ ହେଉଛି। ଏଣେ ଚାଷିମାନେ ହତାସ ହୋଇ କିଏ ରାସ୍ତା କଡ଼ରେ ମକା ରଖି ଦଲାଲ୍ କୁ ଅପକ୍ଷୋ କରୁଛି ତ କିଏ ନିଜ ବିଲ ରେ ଖୋଳା ଆକାଶ ତଲେ ରଖି ବିକ୍ର କରିବା ପାଇଁ ଅନାଇ ବସିଛନ୍ତି । ସରକାର ମକା ଚାଷ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ସହ ମକା ବିକ୍ରୀ ପାଇ ମଣ୍ଡି ବ୍ୟବସ୍ଥା କରନ୍ତି ତେବେ ଚାଷୀ ଉପକୃତ ହେବା ସହ ଉତ୍ସାହିତ ହୋଇ ଆହୁରି ଉତ୍ପାଦନ ବଢାଇବାରେ ଲାଗି ପଡ଼ିବେ ।