ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଉପ ନିର୍ଦେଶକ ଯୋଜନା ଓ ପରିସଂଖ୍ୟାନ ସମ୍ମିଳନୀ ଗୃହରେ କଳାହାଣ୍ଡି କ୍ୟାରମ ସଂଘ ତରଫରୁ ଆଗାମୀ କଳାହାଣ୍ଡି ଉତ୍ସବ ଘୂମୁରା-୨୦୨୩ ଉପଲକ୍ଷେ ଜିଲ୍ଲା ସ୍ତରୀୟ କ୍ୟାରମ ପ୍ରତିଯୋଗିତା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରଦୀପ କୁମାର ଦାସ (ବାପି) ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସଂଘର ସାଧାରଣ ସମ୍ପାଦକ ଜନାବ ଅବଦୁଲ ରେହମାନ ଖାଁ ଏବଂ ବରିଷ୍ଠ ଉପସଭାପତି ପ୍ରଭାତ ବ୍ରହ୍ମା ଆଗାମୀ ପ୍ରତିଯୋଗିତା ବିଷୟରେ ବିଶଦ ଆଲୋଚନା କରିଥିଲେ। ଏହି ପ୍ରତିଯୋଗିତା ଆସନ୍ତା ଜାନୁଆରୀ ମାସ ୮ ଓ ୯ତାରିଖରେ ଅନୁଷ୍ଠିତ ହେବ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂକୁଳେଶ୍ୱର ମିଶ୍ର, ସନ୍ତୋଷ ବେହେରା, ଠାକୁର ଦତ୍ତ ପାଲ, ବରୁଣ କୁମାର ବିଶି, ମୁକେଶ ବଗର୍ତି, ବାବୁଲା ଗହୀର, କେଦାରନାଥ ନାଗ, ସୁଶାନ୍ତ ମହାନ୍ତି, କିଶୋର ଅଗ୍ରୱାଲ ଓ ପ୍ରଜ୍ଞ୍ୟା ଦୀପ୍ତ ମାଝୀ ଉପସ୍ଥିତ ରହି ନିଜସ୍ୱ ମତାମତ ରଖିଥିଲେ। ବାରିପଦା ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ୟାରମ ପ୍ରତିଯୋଗିତାରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଛାତ୍ର ସୌମ୍ୟ ରଞ୍ଜନ ତ୍ରିପାଠୀ ଏକକ ବିଭାଗରେ ବିଜେତା ହୋଇଥିବାରୁ ତାକୁ କ୍ଷୀରୋଦ ମୁଣ୍ଡଙ୍କ ଦ୍ୱାରା ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରିଶେଷରେ ସଭାପତି ଶ୍ରୀ ଦାସ ଜିଲ୍ଲା ପ୍ରଶାସନ ବିଶେଷ କରି ଜିଲ୍ଲାପାଳ ମହୋଦୟା, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଉପନିର୍ଦେଶକ ଶ୍ରୀକାନ୍ତ ଦଳେଇ ଏବଂ ସଂଘର ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।