ମା ମଝିଘରିଆଣୀଙ୍କ ଚୈତ୍ର ପର୍ବ : ଆଜି ତୃତୀୟ ଦିବସ

ରାୟଗଡ,୧୬/୪: ଚୈତ୍ର ମାସ ଆସିଲେ ରାୟଗଡ ସହର ଉତ୍ସବ ମୁଖର ହୋଇଯାଇଥାଏ । ଏହି ମାସରେ ରାୟଗଡର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମଝିଘରିଆଣୀ ମା’ଙ୍କର ଚୈତ୍ର ପର୍ବ ଓ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଚଳିତ ମାସର ୧୫ତାରିଖ ଠାରୁ ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ର୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ପରିଚାଳନା କମିଟି ପକ୍ଷରୁ ମହାଆଡମ୍ବରରେ ଏହି ଯାତ୍ରା ପାଳନ କରାଯାଉଛି ।

୧୪ତାରିଖ ରବିବାର ଦିନ ଠାରୁ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହି ଦିନ ମଣ୍ଡଳ ବିନ୍ୟାସ ପରେ ଦୀକ୍ଷାଗ୍ରହଣ ଓ ସଂଧ୍ୟା ସମୟରେ ଜଳଯାତ୍ରା କରାଯାଇ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୋମବାରରେ ସୂର୍ଯ୍ୟପୂଜା ସହ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ସେହିପରି ଯଜ୍ଞଶାଳ ପୂଜା, ମୁଖ୍ୟ ପୂଜା, ଚଣ୍ଡିପୂଜା, ଆଳତୀ, ପୁଷ୍ପାଂଜଳି, କୁଣ୍ଡ ଓ ଅଗ୍ନି ସଂସ୍କାର ହୋମ ଏବଂ ମଙ୍ଗଳବାର ଠାରୁ ଆସନ୍ତା ଗୁୁରୁବାର ପର୍ଯ୍ୟନ୍ତ ପ୍ରତ୍ୟେହ ସୂର୍ଯ୍ୟପୂଜା, ଚଣ୍ଡିପାଠ, ମୁଖ୍ୟପୂଜା, ମହାସ୍ନାନ,ମହାପୂଜା ଓ ଶୁକ୍ରବାର ଶେଷ ଦିନ ଅର୍ଥାତ୍ ୧୯ତାରିଖରେ ସକାଳର ସମସ୍ତ ପୂଜାବିଧି ପରେ ଅପରାହ୍ନରେ ଝାମୁ ଅଗ୍ନିପୂଜା, ହୋମ ପରେ ରାତ୍ର ୧୦ଟା ସମୟରେ ମୁଖ୍ୟ ପୂଜକଙ୍କ ଅଗ୍ନିରେ ଚାଲିବା ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶେଷ ହେବା ସହ ଚରୁ ବିତରଣ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ପରିଚାଳନା କମିଟିର ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିଛନ୍ତି ।

ମା ମଝିଘରିଆଣୀଙ୍କ ଏହି ଚୈତ୍ର ପର୍ବ ଓ ଝାମୁଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ ଏବଂ ଜନସାଧାରଣଙ୍କ ସମାଗମ ହେଉଥିବା ବେଳେ ବିଶେଷ କରି ଆନ୍ଧ୍ର ପ୍ରଦେଶ, ଛତିଶଗଡ ରାଜ୍ୟ ସମେତ ପଡୋଶୀ କୋରାପୁଟ, ଗଜପତି, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଳାରୁ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଦର୍ଶକଙ୍କ ମନୋରଂଜନ ନିମନ୍ତେ ପ୍ରତ୍ୟେହ ଦିନ ରାତ୍ର ୯ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ମନ୍ଦିର ଚର୍ତୁପାଶ୍ୱରେ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଥିବା ବେଳେ ମା’ଙ୍କ ମନ୍ଦିରକୁ ମଧ୍ୟ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଫୁଲରେ ସଜ୍ଜିତ କରାଯାଇଛି । ଜିଲ୍ଳା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.